ମଲର ସ୍ଲାଇଡିଂ ଡୋର ଭାଙ୍ଗିଯିବାରୁ ଯୁବତୀଙ୍କୁ ୫ଘଣ୍ଟା ଅଟକ : କ୍ଷତିପୁରଣ ଦେବା ପାଇଁ ମଲ କର୍ତ୍ତୃପକ୍ଷଙ୍କ ଦାବି, ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

1,934

କନକ ବ୍ୟୁରୋ : ମଲର ଡୋର ଭାଙ୍ଗିଯିବାରୁ ଯୁବତୀଙ୍କୁ ଅଟକ ରଖିଲେ ମଲ କର୍ମଚାରୀ । କ୍ଷତିପୁରଣ ନଦେଲେ ଛଡ଼ାଯିବ ନାହିଁ ବୋଲି ସିଧାସିଧା କହିଲେ ମଲର ବୁଝାସୁଝା କରୁଥିବା ମହିଳା କର୍ମଚାରୀ । ୫ ଘଣ୍ଟା କାଳ ବନ୍ଧକ ରଖିବା ପରେ ଯୁବତୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ପୋଲିସ । ରାଉରକେଲାର ଏକ ମଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅଟକ ରହିଥିବା ଯୁବତୀ ।

ସୂଚନା ଅନୁସାରେ କୋରାପୁଟ ଅଞ୍ଚଳର ଜଣେ ଯୁବତୀ ରାଉକେଲାରେ ରହି ନର୍ସିଂ ଟ୍ରେନିଂ ନେଉଥିଲେ । ଯୁବତୀ ତାଙ୍କ ବନ୍ଧୁଙ୍କ ସହ ମଲ ଯାଇଥିଲେ । କିଛି କିଣାକିଣି କରି ଫେରିବା ବେଳକୁ ମଲର ସ୍ଲାଇଡିଂ ଡୋର ହଠାତ ବାଡେଇ ହୋଇ ଗୋଟିଏ ପାର୍ଶ୍ୱ ଭାଙ୍ଗିଯାଇଥିଲା । ଏହା ପରେ ମଲ ସୁରକ୍ଷା କର୍ମୀ ଓ କର୍ମଚାରୀ ଯୁବତୀ ଜଣଙ୍କୁ ତୃତୀୟ ମହଲାକୁ ନେଇ ଗୋଟିଏ କୋଠରୀ ଭିତରେ ବସାଇ ରଖିଥିଲେ । ମଲର ବୁଝାସୁଝା କରୁଥିବା ସରୋଜିନୀ ନାମକ ଜଣେ ମହିଳା ଯୁବତୀଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ ।

କମ ସେ କମ୍ ୪୦ ହଜାର ନଦେଲେ ଛଡ଼ାଯିବ ନାହିଁ କହି କର୍ମଚାରୀଙ୍କୁ ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଯୁବତୀ ଜଣଙ୍କ ତାଙ୍କ ସୁନା ଚେନ ଦେଇ ତାଙ୍କୁ ଛାଡ଼ି ଦେବାକୁ ନେହୁରା ହୋଇଥିଲେ । ହେଲେ କେହି ଶୁଣି ନଥିଲେ । ଖବର ପାଇ ଗଣମାଧ୍ୟମ ପ୍ରତିନିଧି ପୁଲିସକୁ ଖବର ଦେବା ପରେ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୋଲିସ । ଯୁବତୀ ଜଣଙ୍କ ଏତଲା ନଦେବାକୁ ମଧ୍ୟ ତାଙ୍କ ଉପରେ ଚାପ ପକାଇଯାଇଥିବା କହିଛନ୍ତି ଯୁବତୀ ।