କନକ ବ୍ୟୁରୋ: ଜୀବନ ସାଥୀ ପାଇ ଦୀପାଂଜଳି ଖୁସି ଅଛନ୍ତି ସତ, କିନ୍ତୁ ମନରେ ଅଭିମାନ ରହିଯାଇଛି । କାରଣ ବଂଚିଥାଉଁ ଥାଉଁ ତାଙ୍କର ସୁଦ୍ଧି କରିଦେବା କଥାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ଦୀପାଂଜଳି । ଓଲଟା ପ୍ରଶ୍ନ କରୁଛନ୍ତି- ପ୍ରେମ କରିବା କ’ଣ ଭୁଲ? କେହି କ’ଣ କେବେ ଭଲ ପାଇ ନାହାଁନ୍ତି?

Advertisment

ପରିବାର ଲୋକ ସିନା ତାଙ୍କୁ ପର କରିଦେଲେ । ମରିଗଲା ବୋଲି ସୁଦ୍ଧି ହୋଇଗଲେ । ହେଲେ ଶ୍ୱଶୂର ଘର ଦୀପାଂଜଳିଙ୍କୁ ଖୁବ୍ ଭଲ ପାଉନ୍ତି । ଖୁବ୍ ଆଦର କରୁଛନ୍ତି । ସେଥିପାଇଁ ଦୀପାଂଜଳି ଭାରି ଖୁସିଥିବା କହିଛନ୍ତି ।

ଘର ଛାଡ଼ି ଚାଲି ଆସିଥିଲେ ବୋଲି ବାପା-ମା’ଙ୍କ ମନ ଦୁଃଖ ହୋଇଥାଇପାରେ । କିନ୍ତୁ ସୁଦ୍ଧି କରିବା ପଛରେ ପରିବାର ଅନ୍ୟ ସଦସ୍ୟଙ୍କ ଚାପ ଥିଲା । ନହେଲେ ବାପା-ମା’ କେବେ ଏମିତି କରିନଥାନ୍ତେ ବୋଲି ଦୀପାଜଂଳି କହିଛନ୍ତି ।

ଜୀବନର ସବୁ ଝଡ଼ଝଂଜାକୁ ଅତିକ୍ରମ କରି, ପ୍ରେମିକାକୁ ସ୍ତ୍ରୀ ମାନ୍ୟତା ଦେଇଥିବା ରାଜେନ୍ଦ୍ର ମଧ୍ୟ ଦୀପାଂଜଳିଙ୍କୁ ସଂପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ଦୀପାଂଜଳିଙ୍କୁ ସାରା ଜୀବନ ସାଥ୍ ଦେବା ପାଇଁ ହିଁ ବାହ ହୋଇଛନ୍ତି ବୋଲି କହିଛନ୍ତି । କିନ୍ତୁ ସୁଦ୍ଧି ହେବା ଘଟଣାକୁ ନିନ୍ଦା କରିଛନ୍ତି ।

ଆଳି ବ୍ଲକ ଦେମାଳ ଗାଁର ରାଜେନ୍ଦ୍ରଙ୍କୁ ଭଲ ପାଉଥିଲେ ସେହି ଗାଁର ଦୀପାଂଜଳୀ । ଉଭୟ ପରିବାର ଜାଣିଥିଲେ, ରାଜେନ୍ଦ୍ର-ଦୀପାଂଜଳିଙ୍କ ପ୍ରେମ ସଂପର୍କକୁ । ଦୁହେଁ ବିବାହ କରିବାକୁ ଚାହୁଁଥିଲେ । ହେଲେ ଏଥିରେ ଝିଅ ଘରର ସମ୍ପର୍କୀୟ ରାଜି ହୋଇନଥିଲେ । ପରିବାର ଲୋକଙ୍କ ବାରଣ ପରେ ରାଜେନ୍ଦ୍ରଙ୍କ ପାଖକୁ ଚାଲି ଯାଇଥିଲେ ଦୀପାଂଜଳି । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଆଉ ଏହି ବିବାଦ ଭିତରେ ପ୍ରେମୀ ଯୁଗଳଙ୍କ ବାହାଘର କରିଥିଲେ । ବିବାହ ପରେ ଝିଅ ଘର ଲୋକ, ଦୀପାଂଜଳିଙ୍କ ସୁଦ୍ଧି କ୍ରିୟା କରିଦେଇଥିଲେ ।