ନ୍ୟାୟ ପାଇଲେ ବଣ୍ଡା ଝିଅ। ମେଧାବୀ ଛାତ୍ରୀ କର୍ମା ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମିଳିଲା ସହାୟତା

126

କନକ ବ୍ୟୁରୋ: ମାଲକାନଗିରିର ବଣ୍ଡା ପାହାଡରୁ ରାଜଧାନୀ ଯାଇ ପାଠ ପଢୁଥିବା କର୍ମା ମୁଦୁଲି ଏବେ ସିଭିଲ ସର୍ଭିସ ପରୀକ୍ଷାରେ ପାସ ହୋଇ ବଡ ଅଧିକାରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ତେବେ ଏଥିରେ ଅର୍ଥବାଧକ ସାଜୁଥିବାରୁ ଖରା ଛୁଟିରେ ଗାଁ କୁ ଆସି ମାଲକାନଗିରି ସଦର ମହକୁମାରେ ନିର୍ମାଣ କାମରେ ହାଡଭଙ୍ଗା ପରିଶ୍ରମ କରୁଥିଲେ ବଣ୍ଡା ଯୁବତୀ କର୍ମା ମଦୁଲି ।

ମାଲକାନଗିରି ଜିଲ୍ଲାର ଯୁକ୍ତ ଦୁଇ ବାଣିଜ୍ୟ ଟପ୍ପର କର୍ମା ମୁଦୁଲି ଗତ ବର୍ଷ ସରକାରୀ ଖର୍ଚରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ । ହୋଷ୍ଟେଲ ସହ ନିଜ ପଢା ଖର୍ଚ ଲାଗି ଡହ ଡହ ଖରା ରେ ମୁଲ ଲାଗୁଥିଲେ । ଏ ନେଇ କନକ ନ୍ୟୁଜ ରେ ଖବର ପ୍ରସାରଣ ହେବା ପରେ ଏବେ ଦିନ ମଜୁରିଆ କାମ ଛାଡି ନିଜ ପାଠପଢାରେ ଗୁରୁତ୍ୱ ଦେବା ଲାଗି ମନ ବଳାଇଛନ୍ତି ।

ଖବର ପ୍ରସାରଣ ପରେ ମାଲକାନଗିରି ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ ଓ ଖଇରପୁଟ ସମ୍ପ୍ରସାରଣ ଅଧିକାରୀ କର୍ମାଙ୍କ ଠିକା କ୍ୟାମ୍ପକୁ ଯାଇ ତାଙ୍କୁ ବୁଝା ସୁଝା କରିଛନ୍ତି । କର୍ମା କଣ ସବୁ ସରକାରୀ ଯୋଜନାର ଲାଭ ପାଇଛନ୍ତି ତାହାର ଚିଠା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଆଉ କର୍ମାଙ୍କୁ ସମସ୍ତ ଖର୍ଚ ବହନ ଲାଗି ପ୍ରତିଶ୍ରୃତି ପାଇବା ପରେ ଠିକା କ୍ୟାମ୍ପରୁ ନିଜ ବସ୍ତାନୀ ଧରି ଗାଁ ମୁହାଁ ହୋଇଛନ୍ତି କର୍ମା ମୁଦୁଲି । ମାଲକାନଗିରି ଜିଲ୍ଲାପାଳ କର୍ମାଙ୍କୁ ନିଜ ଅଫିସକୁ ଡାକି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପଢା ଖର୍ଚ୍ଚ ବାବାଦକୁ ୩୦ ହଜାର ଟଙ୍କା ଦେଇଛନ୍ତି । ଏହାସହ କର୍ମାଙ୍କୁ ତୁରନ୍ତ ଏକ ଲ୍ୟାପଟପ୍ ବି ଦିଆଯିବ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ବି କର୍ମା ମୁଦୁଲିଙ୍କୁ ସହାୟତାର ହାତ ବଢାଇଛନ୍ତି ।