କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର ? ତାରି ପଇସାରେ କଟକ ଅହଲ୍ୟା ଲଜରେ ପୋଲିସ ମଉଜ କରୁଥିବା ନେଇ ବଢୁଛି ଚର୍ଚ୍ଚା

ରୁମ୍ ବୁକ୍ କରିବାକୁ ଆସିଥିଲେ ଅଜଣା ବ୍ୟକ୍ତି; ସିସିଟିଭି ଫୁଟେଜର ଚାଲିଛି ଯାଂଚ

232

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର କଟକ ଏସସିବି ମେଡିକାଲ କଲେଜରୁ ଚମ୍ପଟ ମାରିବା ପଛର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ବିଶେଷ କରି ପୋଲିସର ଅବହେଳା କିଭଳି ଗ୍ୟାଙ୍ଗଷ୍ଟର ଫେରାର ମାରିବାରେ ସହାୟକ ହେଲା ତାହା ଏବେ ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି ।

ହାଇଦରକୁ କଟକ ବଡ ଡାକ୍ତରଖାନାରେ ୬ ଜଣ ପୋଲିସ କର୍ମଚାରୀ ୨୪ ଘଂଟା ଜଗିବା ବଦଳରେ ଯେଉଁ ଲଜରେ ମଉଜ କରୁଥିଲେ ସେହି ଲଜରେ ମାର୍ଚ୍ଚ ୨୩ ତାରିଖରୁ ଦୁଇଟି ରୁମ ବୁକ ହୋଇଥିଲା । କନେଷ୍ଟବଳ ମହମ୍ମଦ ମୌସିମ୍ ଓ ଉମାକାନ୍ତ ବେହେରାଙ୍କ ନାଁରେ ଏହି ଦୁଇଟି ରୁମ ବୁକ କରାଯାଇଥିଲା । ଦିନକୁ ୮ଶହ ଟଙ୍କା ହିସାବରେ ମୋଟ୍ ୧୭ ହଜାର ଟଙ୍କା ଜମା କରାଯାଇଥିବା ଜଣାପଡିଛି ।

ହେଲେ ଲଜ କର୍ମଚାରୀଙ୍କ କହିବା ହେଲା ଏହି ରୁମ ବୁକ କରିବାକୁ ପୋଲିସ କର୍ମଚାରୀଙ୍କ ପୂର୍ବରୁ କେହିଜଣେ ବ୍ୟକ୍ତି ଆସିଥିଲେ । ତେଣୁ ସନ୍ଦେହ କରାଯାଉଛି ପୋଲିସ କର୍ମଚାରୀଙ୍କ ପାଇଁ ରୁମ କରିଥିଲା ନିଜେ ଗ୍ୟାଙ୍ଗଷ୍ଟର ହାଇଦର । ଅର୍ଥାତ ତାରି ପଇସାରେ ପୋଲିସ କର୍ମଚାରୀ ଲଜରେ ମଉଜ କରୁଥିଲେ ବୋଲି ହେଉଥିବା ଅଭିଯୋଗର ମଧ୍ୟ ଛାନଭିନ ଆରମ୍ଭ ହୋଇଛି ।