କନକ ବ୍ୟୁରୋ: ଜୀବନକୁ ବାଜି ଲଗାଇ ଲୁଟେରାଙ୍କୁ କାବୁ କଲେ କମିଶନରେଟ ପୋଲିସ ଅଫିସର୍ । ଲୁଟେରାଙ୍କୁ କାବୁ କରିଛନ୍ତି ପିସିଆର-୫ର ଅଫିସର ଓ ତାଙ୍କ ଟିମ୍ । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏଟିଏମ ତାଡି ଲୁଟ କରୁଥିବା ଗ୍ୟାଙ୍ଗକୁ ଧରିଛନ୍ତି । ଅଢେଇ ଘଣ୍ଟାର ଅପରେସନର ପରେ ଲୁଟେରାଙ୍କୁ କାବୁ କରିଛନ୍ତି ପିସିଆର ଟିମ୍ ।
- ଚୋର-ପୋଲିସର ଲୁଚକାଳି ଖେଳ
 - ବାଜି ମାରିଲେ ବାହାଦୂର ଅଫିସର
 
ସ୍ଥାନ: ଭିଏସ୍ଏସ୍ ନଗର, ସମୟ: ରାତି ପ୍ରାୟ ସାଢ଼େ ଗୋଟାଏ । ଆଗେ ଆଗେ ଯାଉଥିଲା ଅଭିଯୁକ୍ତଙ୍କ ପିକ୍ଅପ୍ ଭ୍ୟାନ୍ । ପିଛା କରୁଥିଲା ପିସିଆର୍ । ଆଉ ବାଟ ଓଗାଳୁଥିଲା ବାଇକ୍ । ପୋଲିସ ଓ ଅପରାଧୀଙ୍କ ଭିତରେ ଏମିତି ଚାଲିଥିଲା ଛକାପଂଝା । ଅନ୍ଧାର ରାସ୍ତାର ଫାଇଦା ଉଠାଇ ପିସିଆର ଅଫିସରଙ୍କୁ ଚକମା ଦେଇ ଖସିଯିବାକୁ ପ୍ରୟାସ କରୁଥିଲେ ଅପରାଧୀ । ପୋଲିସ ଭ୍ୟାନ୍ ଜାଣି ମଧ୍ୟ ଅପରାଧୀଙ୍କ ମନରେ କୌଣସି ଭୟ ନଥିଲା । ଅଭିଯୁକ୍ତମାନେ ମଝିରେ ମଝିରେ ପୋଲିସ ଉପରକୁ ଇଟାପଥର ମାଡ଼ କରୁଥିଲେ । ଏପରିକି ଗାଡ଼ି ଚଢ଼ାଇ ଦେଇ ରାସ୍ତା ତଳକୁ ଖସାଇ ଦେବା ପାଇଁ ପ୍ରୟାସ କରିଥିଲେ । ବାରମ୍ବାର ପିସିଆର ଭ୍ୟାନକୁ ଧକ୍କା ମଧ୍ୟ ଦେଇଥିଲେ । ପ୍ରାୟ ଅଢ଼େଇ ଘଣ୍ଟା ଧରି ଏମିତି ଚାଲିଥିଲା ଚୋର-ପୋଲିସର ଖେଳ ।
ଏହି ଛକାପଂଝା ଭିତରେ ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ପିସିଆରରେ ଥିବା ଅଫିସର, କନଷ୍ଟେବଳ ଓ ଡ୍ରାଇଭର ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ଆଉ ପୋଲିସ ହାତରେ ଶେଷରେ ସେମାନେ ଧରା ପଡ଼ିଗଲେ । ଗାଡ଼ି ଯାଂଚ ବେଳେ ଜଣାପଡ଼ିଥିଲା ଯେ ଅଭିଯୁକ୍ତମାନେ ଏଟିଏମ୍ ଲୁଟେରା । ସେମାନଙ୍କ ଗାଡ଼ି ଭିତରୁ ଗ୍ୟାସ କଟର, ମଙ୍କି କ୍ୟାପ୍, ଗ୍ଲୋଭସ ଓ ମାରଣାସ୍ତ୍ର ଜବତ କରିଥିଲା ପିସିଆର୍ ଟିମ୍ । ପିସିଆର ଫାଇଭର ଏହି ଅପରେସନ ଯୋଗୁଁ ବଡ଼ ଧରଣର ଡକାୟତ ଯୋଜନା ପଣ୍ଡ ହୋଇଛି । ପୋଲିସ ଅଧିକାରୀଙ୍କ ଏହି ସାହସିକତା ପାଇଁ କମିଶନରେଟ୍ ପୋଲିସ ପ୍ରଶଂସା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/05/24-13.jpg)