ଅଧା ମ୍ୟାଚରେ ଅନ୍ଧାର ହୋଇଗଲା କଳିଙ୍ଗ ଷ୍ଟାଡିୟମ : ୧୫ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରହିଲା ଖେଳ

119

କନକ ବ୍ୟୁରୋ : ମ୍ୟାଚ୍ ଚାଲୁଥିବା ବେଳେ ଅନ୍ଧାର ହୋଇଗଲା କଳିଙ୍ଗ ଷ୍ଟାଡିୟମ । ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଲାଇଟ୍ ନ ଆସିବାରୁ ଖେଳ ମଧ୍ୟ ବନ୍ଦ ରହିଲା । ପରେ ଲାଇଟ୍ ଠିକ୍ କରିବା ପରେ ପୁଣି ମ୍ୟାଚ ଆରମ୍ଭ ହୋଇଥିଲା । ପୁରା ଷ୍ଟାଡିୟମ ଅନ୍ଧାର ହୋଇଯାଇଥିଲା ଦର୍ଶକମାନେ ମୋବାଇଲ ଲାଇଟ୍ ଜଳାଇ ବସିଥିବାର ଭିଡିଓ ଦେଖିବାକୁ ମିଳିଛି । ସୂଚନା ମୁତାବକ ଗତକାଲି କଳିଙ୍ଗ ଷ୍ଟାଡିୟମରେ ଇଣ୍ଡିଆନ ସୁପର ଲିଙ୍ଗରେ ଓଡ଼ିଶା ଏଫସି ଏବଂ ଚେନ୍ନାଇ ଏଫସି ମଧ୍ୟରେ ମ୍ୟାଚ ଖେଳାଯାଉଥିଲା ।

ମ୍ୟାଚ ଚାଲିଥିବା ବେଳେ ୮୮ ମିନିଟ୍ରେ ପ୍ରଥମ ଥର ଗୋଟିଏ ଲାଇଟ୍ ଟାୱାର କଟିଯାଇଥିଲା, ଯେଉଁଥିପାଇଁ ୩ରୁ ୪ ମିନିଟ୍ ଖେଳ ବନ୍ଦ ରହିଥିଲା । ପରେ ଅନ୍ୟ ତିନିଟି ଟାୱାର କଟିଯାଇଥିଲା, ପ୍ରାୟ ୧୫ ମିନିଟ୍ ଖେଳ ବନ୍ଦ ରହିଥିଲା । ଲାଇଟ୍ ଗୁଡିକୁ ସଜାଡିବାରେ ବିଳମ୍ବ ହୋଇଥିଲା । ଶେଷରେ ଲାଇଟ୍ ଆସିବା ପରେ ପୁଣି ମ୍ୟାଚ ଆରମ୍ଭ ହୋଇଥିଲା । ଜାନୁଆରି ମାସରୁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ହେବାକୁ ଥିବା ବେଳେ ଏଭଳି ଅବ୍ୟବସ୍ଥା କ୍ରୀଡାପ୍ରେମୀଙ୍କୁ ନିରାଶ କରିଛି ।