ବିପଦ ଡାକୁଛି ଦେବଗଡର ଗାଇଲୋ ଘାଟି: ଅଣଓସାରିଆ ଘାଟି ରାସ୍ତାରେ ନାହିଁ ସ୍ଥାୟୀ ସୁରକ୍ଷା ବାଡ

128

କନକ ବ୍ୟୁରୋ: ଅପହଂଚ ତଥା ଦୁର୍ଗମ ଅଂଚଳର ଗମନା-ଗମନ ସୁବିଧା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଆଜି ବି ଅନେକ ସ୍ଥାନରେ ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ କରୁଛନ୍ତି ଲୋକେ । ଏଇ ଯେମିତି ଦେବଗଡ ଜିଲ୍ଲାର ୬ଟି ପଂଚାୟତର ଅଧିବାସୀ ବିପଦ ମୁଣ୍ଡାଇ ଘାଟି ରାସ୍ତାରେ ଗମନାଗମନ ପାଇଁ ବାଧ୍ୟ ହେଉଛନ୍ତି । ଦେବଗଡ ଆଦିବାସୀ ଅଧ୍ୟ୍ୟୁଷିତ ତିଲେଇବଣୀ ବ୍ଲକ ଅନ୍ତର୍ଗତ କୈାଳାଶ–ଗଇଲୋ ଘାଟିରୁ ଦେଖିବା ବିପଦପୂର୍ଣ୍ଣ ଯାତ୍ରା ।

ଗାଇଲୋ ଘାଟି, ଯେଉଁଠି ୨୦୧୬ ଏପ୍ରିଲ ୧୭ ତାରିଖ ସଂନ୍ଧ୍ୟାରେ ଏକ ବଡ ଦୁର୍ଘଟଣା ଘଟିଥିଲା । ଯାତ୍ରା ପାର୍ଟି ବସ୍ ଘାଟିରୁ ୩ଶହ ଫୁଟ ତଳକୁ ଖସି ୨୭ ଜଣ ଯାତ୍ରା କଳାକାରଙ୍କ ଜୀବନ ଯାଇଥିଲା । ତଥାପି ଘାଟି ରାସ୍ତାର ସୁରକ୍ଷା ନେଇ କୌଣସି ବନ୍ଦୋବସ୍ତ ହୋଇନାହିଁ । ଏବେ ବି ଆହୁରି ଅନେକ ଅଘଟଣକୁ ଅପେକ୍ଷା କରିଛି ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକର ଗଇଲୋ ଘାଟି । ପୂର୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କ ଉଦାସିନତା ଯୋଗୁଁ ବିପଦ ସଂକୁଳ ଅବସ୍ଥାରେ ପ୍ରତିଦିନ ଯାତାୟାତ କରୁଛନ୍ତି ୬ଟି ପଂଚାୟତର ଶତାଧିକ ଗ୍ରାମବାସୀ ।

୯ ଫୁଟ ଚଉଢା ଅଣଓସାରିଆ ଘାଟି ରାସ୍ତାର ଗୋଟିଏ ପଟେ ପାହାଡ, ଅନ୍ୟପଟେ ଶହ ଶହ ଫୁଟର ଖାଲ । ଘାଟି ରାସ୍ତାରେ ଏକାଥରେ ୨ଟି ଗାଡି ଯିବା କଷ୍ଟକର ହୋଇପଡୁଥିବା ବେଳେ ଖାଲୁଆ ପଟ ରାସ୍ତାରେ କୈାଣସି ସୁରକ୍ଷା ବାଡ ନାହିଁ । ଯାହା ବିପଦର ପ୍ରମୁଖ କାରଣ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି । ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ରାସ୍ତାର ଅନେକ ସ୍ଥାନରେ ବାଉଁଶ ବାଡ ଓ କେତେକ ସ୍ଥାନରେ ପାହାଡରୁ ଖସି ଆସୁଥିବା ପଥରକୁ ରଖି ଅସ୍ଥାୟୀ ସୁରକ୍ଷା ବାଡ କରିଛି ପ୍ରଶାସନ । ଯାହା ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ଦୁର୍ଘଟଣାର ଆଶଙ୍କାକୁ ଦ୍ୱିଗୁଣିତ କରିଛି ।

ଲୋକେ ବିପଦପୂର୍ଣ୍ଣ ଯାତ୍ରା କରୁଥିବା ବେଳେ ବିଭାଗୀୟ ଅଧିକାରୀ କହୁଛନ୍ତି, ଖୁବ୍ଶୀଘ୍ର ଘାଟି ରାସ୍ତାରେ ସ୍ଥାୟୀ ସୁରକ୍ଷା ବାଡ କରାଯିବ । ଯଦି ଆଗାମୀ ୨ ମାସରେ ଗାର୍ଡୱାଲ କରାଯିବ, ତେବେ ଆଗରୁ ହୋଇନାହିଁ କାହିଁକି?