କନକ ବ୍ୟୁରୋ: ଉଦଘାଟିତ ହେଇଛି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଜନତା  ମୈଦାନରେ ଏହାର ଉଦଘାଟନ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଓଡିଆ, ଓଡିଆ ଆମ ଭାଷା, ଆମ ପରିଚୟ । ଭାଷା ଗୋଟିଏ ଜାତିର ଏକତାର ମହାନ ମନ୍ତ୍ର । ଆଜି ଆମ ଜାତି ପାଇଁ, ଆମ ଭାଷା ପାଇଁ ଗୌରବର ଦିନ ଆରମ୍ଭ ହେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
“ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ କବି ସାରଳା ଦାସଙ୍କୁ ମୋର ପ୍ରଣାମ ଜଣାଉଛି । ଓଡିଆ ଭାଷାର ଗୌରବ ବୃଦ୍ଧି କରିଥିବା ସବୁ ଲେଖକ ଓ କବିମାନଙ୍କୁ ମୋର ସମ୍ମାନ ଜଣାଉଛି । ଆଜି ଆମେ ସମସ୍ତେ ଗୋଟିଏ ମଞ୍ଚରେ ଏକାଠି ହେଇଛେ । ସାରା ଓଡିଶା ଆଜି ଭାଷା ପାଇଁ ଏକାଠି ହେଇଛି । ଦେଶ ବିଦେଶରେ ଥିବା ଓଡିଆମାନେ ଅନଲାଇନ ଜରିଆରେ ଯୋଗ ଦେଇଛନ୍ତି । ବିଶିଷ୍ଟ ଲେଖକ, ଗବେଷକମାନେ ଆମ ସହିତ ଅଛନ୍ତି”, ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ଓଡିଆ ଭାଷା ଏକ ଶାସ୍ତ୍ରୀୟ ଭାଷା, ଏହାର ସମୃଦ୍ଧ ଇତିହାସ ରହିଛି । ନୂଆ ନୂଆ ଶବ୍ଦ ଯୋଡି ହେଉଛି । ଏ ସବୁ ଉପରେ ଆଲୋଚନା ହେଉ । ଭଲ ସାହିତ୍ୟ ସୃଷ୍ଟି ଉପରେ ଆଲୋଚନା ହେଉ । ଓଡିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ । ଆମେ ଆମ ଭାଷାର ଇତିହାସ ଜାଣିବା ବର୍ତ୍ତମାନକୁ ଦେଖିବା ଓ ଭବିଷ୍ୟତ ପାଇଁ ରାସ୍ତା ତିଆରି କରିବା ବୋଲି ଭାଷା ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ଭାଷା ହିଁ ଭବିଷ୍ୟତ । ଓଡିଆ ଭାଷାର ଉନ୍ନତି ପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ଖୋଲାଯାଇଛି । ତେଣୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି କି, ଆସନ୍ତୁ ଓଡିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଶି କାମ କରିବା । ଏ ସଭାରେ ଯାହା ପ୍ରସ୍ତାବ ଆସିବ, ସରକାର ତାକୁ ଗ୍ରହଣ କରି ସ୍ୱତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ । ଓଡିଆ ଭାଷାର ଭବିଷ୍ୟତ ଉଜ୍ଜଳ ହେବ । ଓଡିଆ ଜାତିର ଭବିଷ୍ୟତ ଉଜ୍ଜଳ ହେବ । ଏହା ମୋର ଦୃଢ ବିଶ୍ୱାସ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।