ଅନ୍ଧାରରେ ଝାଡ଼ଖଣ୍ଡ ଓଡ଼ିଆ ଭାଷାଭାଷୀଙ୍କ ଭବିଷ୍ୟତ । ଓଡି଼ଆ ଭାଷାରୁ ମୁହଁ ଫେରାଉଛନ୍ତି ଓଡି଼ଆ ପିଲା

107

କନକ ବ୍ୟୁରୋ : ଝାଡଖଣ୍ଡରେ ପାଖାପାଖି ୨୦ ଲକ୍ଷ ପ୍ରବାସୀ ଓଡ଼ିଆ ରୁହନ୍ତି । କିନ୍ତୁ ସେମାନଙ୍କ ଭବିଷ୍ୟତକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଝାଡ଼ଖଣ୍ଡରେ ରହୁଥିବା ଓଡ଼ିଆ ସାହିତ୍ୟିକ ଓ କବି । ଝାଡ଼ଖଣ୍ଡର ସଢ଼େଇକଳା, ଖରଶୁଅାଁ, ଗୁଣ୍ଡୁ, ରାଂଚି, ପୂର୍ବ ସିଂହଭୁମ, ପଶ୍ଚିମ ସିଂହଭୁମ୍ ଜିଲ୍ଲାରେ ପାଖାପାଖି ୨୦ ଲକ୍ଷରୁ ଅଧିକ ଓଡ଼ିଆ ଭାଷାଭାଷି ରହୁଛନ୍ତି । ପୂର୍ବରୁ ଏମାନଙ୍କ ପାଇଁ ୧୭୦ରୁ ଅଧିକୁ ଓଡ଼ିଆ ବିଦ୍ୟାଳୟ ଥିବା ବେଳେ ବର୍ତମାନ ଏହା ହାତ ଗଣତି ମାତ୍ର ୪୦ରୁ ୫୦ଟି ବିଦ୍ୟାଳୟରେ ଶିକ୍ଷାଦାନ କରାଯାଉଛି । ଅନେକ ବିଦ୍ୟାଳୟରେ ଓଡ଼ିଆ ପଢ଼ାଉଛନ୍ତି ବଙ୍ଗଳି ଓ ଝାଡ଼ଖଣ୍ଡି ଶିକ୍ଷକ । ଆଉ ସେଥିପାଇଁ ଓଡ଼ିଆ ଭାଷାରୁ ମୁହଁ ଫେରାଉଛନ୍ତି ଓଡ଼ିଆ ପିଲା ।

ଝାଡ଼ଖଣ୍ଡ ସରକାରଙ୍କ ଓଡ଼ିଆ ଭାଷା ପ୍ରତି ବୈମାତୃକ ମନୋଭାବ ହେତୁ ଓଡ଼ିଆ ଭାଷାର ବିକାଶ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି । ତେଣୁ ଓଡ଼ିଶା ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ଭଳି ଝାଡ଼ଖଣ୍ଡରେ ଏକ ଅନୁଷ୍ଠାନ କରିବାକୁ ଅନୁରୋଧ କରିଛନ୍ତି ଝାଡ଼ଖଣ୍ଡରେ ରହୁଥିବା ଓଡ଼ିଆ ପ୍ରେମୀ । ଓଡ଼ିଆ ଛାତ୍ରଛାତ୍ରୀ ମାନଙ୍କୁ ଉକ୍ରଳ ସମ୍ମଳନୀ ମାଧ୍ୟମରେ ଓଡ଼ିଶା ସରକାରଙ୍କ ଦ୍ୱାରା ବିଚ୍ଛିନ୍ନାଂଚଳକୁ ଦିଆଯାଉଥିବା ଓଡ଼ିଆ ପାଠ୍ୟ ପୁସ୍ତକ ପାଇଁ ଅନେକ ଛାତ୍ରଛାତ୍ରୀ ଉପକୃତ ହେଉଥିବା ବେଳେ ଝାଡ଼ଖଣ୍ଡ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସେପଟେ ଏହି ସମସ୍ୟାକୁ ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି । ତେବେ କେବଳ ଝାଡ଼ଖଣ୍ଡ ନୁହେଁ ଅନେକ ସ୍ଥାନରେ ଏହି ସମସ୍ୟା ଅଛି ଓ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚି ।

ଓଡ଼ିଶା ସରକାର ଏଥିପ୍ରତି ଦୃଷ୍ଟି ଦେଇ ଓଡିଆ ଭାଷାଭାଷୀଙ୍କୁ ସହଯୋଗ ଯୋଗାଇ ଦେବାକୁ ଦାବି ହେଉଛି ।