କନକ ବ୍ୟୁରୋ: ବିଦ୍ୟାଳୟକୁ ବିପଦ ବଜ୍ରପାତ। ସରକାରୀ ବିଦ୍ୟାଳୟରୁ ସୁରକ୍ଷିତ ନୁହନ୍ତି ଛାତ୍ରଛାତ୍ରୀ । ଭଙ୍ଗା ଘର କି ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ନୁହେଁ, ବରଂ ସ୍କୁଲ ଉପରେ ହେଉଥିବା ବଜ୍ରପାତ ପାଇଁ ଚିନ୍ତାରେ ପଡିଛନ୍ତି ପିଲା ଓ ଅଭିଭାବକ। ହେଲେ ସବୁ ଦେଖି ଆଖି ବୁଝିଦେଇଛି ଗଣଶିକ୍ଷା ବିଭାଗ । କିନ୍ତୁ ତତ୍ପରତା ପ୍ରକାଶ କରିଛି ବିପର୍ଯ୍ୟୟ ଓ ପରିଚାଳନା ବିଭାଗ।

Advertisment
  • ୫୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ବିପଦରେ!
  • ବଡ଼ ଅଘଟଣ ଘଟିଲେ ଦାୟୀ ରହିବ କିଏ?

ଭଞ୍ଜନଗର ୫-ଟି ଗାଲେରି ଉଚ୍ଚ ବିଦ୍ୟାଳୟ ଓ ବରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ସମୟରେ ହଠାତ ବ୍ରଜପାତ ହେଲା । ଆଉ ବ୍ରଜପାତରେ ଛାତ୍ରଛାତ୍ରୀ ଆହତ ହେବା ସହ କମ୍ପ୍ୟୁଟର ପୋଡି ଯାଇଛି ଓ ସ୍କୁଲର କାନ୍ଥ ଫାଟି ଯାଇଛି। ଆହତ ପିଲାମାନଙ୍କୁ ଡାକ୍ତରଖାନା ନିଆଯାଇଛି। ହେଲେ ସ୍କୁଲ କ୍ଷତିଗ୍ରସ୍ତ ହେବାର କାରଣ ହେଉଛି ଏଠାରେ ବ୍ରଜପାତରୁ ରକ୍ଷା ପାଇବା ପାଇଁ ଆର୍ଥିଙ୍ଗ ନଥିଲା କିମ୍ୱା ଲାଇଟନିଂ ଆରେଷ୍ଟର ଲଗାଯାଇନଥିଲା ।

ଦିନକୁ ୮ ଘଣ୍ଟା ସ୍କୁଲରେ ବିତାଉଥିବା ପିଲାମାନଙ୍କ ଜୀବନ ବିପଦରେ। ଅନେକ ସମୟରେ ଅଚାନକ ବ୍ରଜପାତ ହେଉଛି । ଏହି ବ୍ରଜପାତରେ ଦୁର୍ଭାଗ୍ୟବଶତଃ ସ୍କୁଲରେ ଯଦି ପିଲାଙ୍କ ସହ ବଡ଼ ଅଘଟଣ ଘଟେ ତାହା ହେଲେ କିଏ ହେବେ ଉତ୍ତର ଦାୟୀ? ସୁରକ୍ଷିତ ସରକାରୀ ବଡ଼ ବଡ଼ କୋଠାରେ ବସୁଥିବା ମନ୍ତ୍ରୀ ଓ ସଚିବଙ୍କ ନଜର କେବେ ପଡିବ ଏହି ସରକାରୀ ସ୍କୁଲ ଉପରେ?

କୋଟି କୋଟି ଟଙ୍କା ବିଭିନ୍ନ ହେଡରେ ଖର୍ଚ୍ଚ ହଉଛି କିନ୍ତୁ ବ୍ରଜପାତରୁ ସୁରକ୍ଷା ପାଇଁ ଲାଇଟନିଂ ଆରେଷ୍ଟର ଲଗାଇବା କଥା କେହି ଚିନ୍ତା କରୁନାହାନ୍ତି। ସ୍କୁଲରେ ଲାଇଟନିଂ ଆରେଷ୍ଟର ଲଗାଇବା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବାରମ୍ବାର ଗଣଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଥିଲେ ବି ବିଭାଗ ଚୁପ ରହିଛି । ଛୋଟ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଗଣଶିକ୍ଷା ବିଭାଗ ତତ୍ପରତା ନଦେଖାଇଲେ ବି, ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଓଡିଶା ଏକ ବ୍ରଜପାତ ପ୍ରବଣ ରାଜ୍ୟ । ଦେଶରେ ସର୍ବାଧିକ ବ୍ରଜପାତ ହେଉଥିବା ଚାରି ରାଜ୍ୟ ଭିତରୁ ଓଡ଼ିଶାର ସ୍ଥାନ ଦ୍ଵିତୀୟରେ।

  • ବ୍ରଜପାତରେ ବର୍ଷକୁ ୩୦୦ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି
  • ପ୍ରତି ୧୦୦୦ ଵର୍ଗ କିଲୋମିଟରରେ ୬୯ ଜଣଙ୍କ ମୃତ୍ୟୁ ହେଉଛି
  • ୨୦୧୮ରୁ ୨୦୨୩ ମଧ୍ୟରେ ୨୦୫୮ ଜଣଙ୍କ ବ୍ରଜପାତରେ ମୃତ୍ୟୁ ହୋଇଛି

ପୂର୍ବ ସରକାର ଗତ ୨୪ ବର୍ଷରେ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ବୈଠକରେ କେବେ ସ୍କୁଲ ପିଲାଙ୍କ ସୁରକ୍ଷା କଥା ଆଲୋଚନା କରିନଥିଲେ । ଓସଡମା , ଶକ୍ତି ବିଭାଗ ଓ ଗଣଶିକ୍ଷା ବିଭାଗ ଭିତରେ ସମନ୍ଵୟର ଅଭାବରୁ ବିଦ୍ୟାଳୟ ବ୍ରଜପାତ ମାଡ ସହୁଛି।