କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ପାଟନାରେ ହେବ ଅନ୍ତିମ ସଂସ୍କାର : ଦିଲ୍ଲୀରୁ ବିହାର ନିଆଯିବ ମରଶରୀର; ଗତକାଲି ୭୪ ବର୍ଷ ବୟସରେ ହୋଇଥିଲା ପରଲୋକ

167

କନକ ବ୍ୟୁରୋ : ଦିବଂଗତ ନେତା ରାମବିଳାଶ ପାସୱାନଙ୍କ ଆଜି ହେବ ଅନ୍ତିମ ସଂସ୍କାର । ଆଜି ଦିଲ୍ଲୀରୁ ପାଟନାକୁ ଯିବ ମୃତଦେହ । ଅନ୍ତିମ ଦର୍ଶନ ପରେ କରାଯିବ ଅନ୍ତିମ ସଂସ୍କାର । ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶୱାନଙ୍କର ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିଲା । ୭୪ ବର୍ଷ ବୟସରେ ଆଖି ବୁଜିଥିଲେ ପାଶୱାନ୍ । ୫ ଦଶନ୍ଧୀ ଧରି ଦେଶର ରାଜନୀତିରେ ବେଶ ସକ୍ରିୟ ରହିଥିଲେ ପାଶୱାନ ।

ଦଳିତ ନେତା ହିସାବରେ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଥିଲା । ବିହାର ଛାତ୍ର ଆନ୍ଦୋଳନରୁ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ୧୯୬୯ରେ ବିହାର ବିଧାନସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ । ଜୟ ପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇ ଜରୁରିକାଳୀନ ପରିସ୍ଥିତି ସମୟରେ ଜେଲ ଯାଇଥିଲେ ପାଶୱାନ । ଏହାପରେ ସେ କେନ୍ଦ୍ର ରାଜନୀତି ସହ ଯୋଡି ହୋଇ ଯାଇଥିଲେ । ୧୯୭୭ ମସିହାରେ ଜେଲରୁ ମୁକୁଳିବା ପରେ ଜନତା ପାର୍ଟି ଟିକେଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୮ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ହାଜିପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ୭ ଥର ନିର୍ବାଚିିତ ହୋଇଥିଲେ ।

ୟୁନାଇଟେଡ୍ ଫ୍ରଂଟ, ୟୁପିଏ, ଏନଡିଏରେ ସାମିଲ ହୋଇ କେନ୍ଦ୍ର କ୍ୟାବିନେଟ୍ରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଥିଲେ । ବିଶେଷ କରି ବିହାର ରାଜନୀତିରେ ତାଙ୍କର ଏକ ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷ ଦୁଃଖପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।