ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ରାସନ୍ ଦୋକାନୀ । ଦିଲ୍ଲୀର ପୋଲ ତଳେ ଗଢ଼ୁଛନ୍ତି ଭବିଷ୍ୟତ, ସେହି ବାଟ ଦେଇ ଯାଉଛି ଯୋଜନା ହେଲେ ପଡୁନି ନଜର ।

ବ୍ରିଜ୍ ପାଚେରୀ ପାଲଟିଛି ସ୍କୁଲ କଳାପଟା । ବ୍ରିଜ୍ କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ର ସହ ସ୍କୁଲ ଭଳି ଶୈକ୍ଷିକ ବାତାବରଣ ।

262

କନକ ବ୍ୟୁରୋ: ଆଜିବି ‘ଶିକ୍ଷା’ ପାଇବାରୁ ବଞ୍ଚିତ ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ । ଏହାର କାରଣ ସେମାନେ ଦରିଦ୍ର ଆଉ ଦାରିଦ୍ର୍ୟର ସୀମାରେଖାକୁ ପାର କରି ସେମାନଙ୍କ ସ୍ୱପ୍ନ ପୂରା କରିପାରୁ ନାହାନ୍ତି ସରକାର । ହେଲେ ଏଭଳି ଗରୀବ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ପ୍ରତିଜ୍ଞା ନେଇଛନ୍ତି ଏକ ଛୋଟ ଗ୍ରୋସେରୀ ଦୋକାନୀ । ଯାହାଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମ ସହ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି ।

ମେଟ୍ରୋ ବ୍ରିଜ୍ ତଳେ ଚାଲିଛି ଗରୀବ ପିଲାଙ୍କ ଭବିଷ୍ୟତ ଗଢ଼ା । ବ୍ରିଜ୍ ପାଚେରୀ ପାଲଟିଛି ସ୍କୁଲ କଳାପଟା । ବ୍ରିଜ୍ କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ର ସହ ସ୍କୁଲ ଭଳି ଶୈକ୍ଷିକ ବାତାବରଣ । ଯାହା ଆପଣଙ୍କୁ କିଛି ସମୟ ପାଇଁ ଲାଗିବ, ଏହା କୌଣସି ଏକ ସ୍କୁଲ ପରିସର । ହେଲେ ବାସ୍ତବ ଚିତ୍ର ଏହାର ଓଲଟା । ଏହା ହେଉଛି ରାଜଧାନୀ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାର ଦୃଶ୍ୟ । ଯେଉଁଠି ସରକାରଙ୍କ ସରକାର କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂଗଠନର ନଜର ପଡୁନି ସେଠି ୩୦୦ ଗରୀବ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି ଲକ୍ଷ୍ମୀ ନଗର ସ୍ଥିତ ରାସନ୍ ଦୋକାନୀ ରାଜେଶ କୁମାର ଶର୍ମା ।

କୁହାଯାଏ ଶିଖେଇବାକୁ ହେଲେ କୌଣସି ସ୍ଥାନ କାଳ ପାତ୍ର ଦେଖାଯାଏନି । ଆଉ ‘ଶିକ୍ଷା’କୁ ବାଣ୍ଟିଲେ ହିଁ ଅଧିକରୁ ଅଧିକ ଶିକ୍ଷାର ସଜ୍ଞା ବୃଦ୍ଧି ପାଇବ । ଆଉ ଏହାକୁ ବାସ୍ତବରେ ପରିଣତ କରିଛନ୍ତି ଗ୍ରୋସେରୀ ଦୋକନୀ ରାଜେଶ କୁମାର । ଦୀର୍ଘ ୮ ବର୍ଷ ହେବ ଦିଲ୍ଲୀର ମେଟ୍ରୋ ବ୍ରିଜ୍ ତଳେ ଗଢ଼ୁଛନ୍ତି ଅନେକ ଗରୀବ ପିଲାଙ୍କ ଭବିଷ୍ୟତ । ‘ଦ ଫ୍ରୀ ସ୍କୁଲ ଅଣ୍ଡର ଦ ବ୍ରିଜ୍’ କାର୍ଯ୍ୟକ୍ରମରେ ୭ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହାୟତାରେ ଅନେକ ଦାରିଦ୍ର୍ୟସୀମାରେଖା ତଳେ ରହୁଥିବା ପିଲାଙ୍କୁ ଦେଉଛନ୍ତି ମାଗଣା ଶିକ୍ଷା । ପ୍ରତିଦିନ ୨ଟି ସିଟିଙ୍ଗ୍ କରି ସ୍କୁଲ ଭଳି ପାଠ ପଢ଼ାଉଛନ୍ତି ରାଜେଶ । ପ୍ରଥମେ ସକାଳ ୯ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ୧୨୦ଟି ବାଳକ ପାଠ ପଢୁଥିବାବେଳେ ଅନ୍ୟ ସିଟିଙ୍ଗ୍ ୨.୩୦ରୁ ୪ଟା ଭିତରେ ୧୮୦ ବାଳିକା ପାଠ ବଢ଼ୁଛନ୍ତି ।

ସବୁଠାରୁ ବଡ଼ କଥା ହେଲା, ରାଜେଶଙ୍କ ପରିବାର କହିଲେ ୫ ଜଣ ସଦସ୍ୟଙ୍କୁ ବୁଝାଏ । ଗୋଟିଏ ଛୋଟ ରାସନ୍ ଦୋକାନରୁ ଯେତିକି ରୋଜଗାର ହୁଏ ସେଥିରେ ପରିବାର ଚଳେ । ହେଲେ ନିଜେ କଷ୍ଟରେ ରହି ୪୯ ବର୍ଷୀୟ ରାଜେଶ ପୋଲ ତଳେ ଗଢୁଛନ୍ତି ଦେଶର ଆଗାମୀ ଭବିଷ୍ୟତ । ସବୁଠାରୁ ବିଡ଼ମ୍ବନା ବିଷୟ ଯେଉଁଠୁ ସାରା ଦେଶର ଭବିଷ୍ୟତକୁ ସୁଧାରିବା ପାଇଁ ଯୋଜନା ପରେ ଯୋଜନା କରାଯାଏ, ଆଜି ସେଠାରେ ହିଁ ଶିକ୍ଷାର ଏଭଳି ଦୟନୀୟ ଚିତ୍ର ସାମ୍ନାକୁ ଆସିଛି । ଯେଉଁ ମେଟ୍ରୋ ବ୍ରିଜ୍ ଦେଇ ସରକାରୀ ବାବୁ ମାନେ ଯାଉଛନ୍ତି ସେଠି କାହାର ନଜର ପଡୁନି ।