ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ଭୋଟ୍: ରାୟଗଡା ଓ କୋଲନରା ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ସାଂସଦ ବନାମ ସାଂସଦ

100

କନକ ବ୍ୟୁରୋ: କାଲି ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ଭୋଟ । ରାୟଗଡା ବ୍ଳକର ତିନୋଟି ଓ କୋଲନରା ବ୍ଳକର ଦୁଇଟି ଜୋନ ପାଇଁ ମତଦାନ ହେବ । ଏହି ମତଦାନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏହି ପଂଚାୟତ ନିର୍ବାଚନ ଲୋକସଭା ସାସଂଦ ଓ ରାଜ୍ୟସଭା ସାସଂଦଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ।

ମତଦାନର ଚତୁର୍ଥ ପର୍ଯ୍ୟାୟରେ ରାୟଗଡା ବ୍ଳକର କ,ଖ ଓ ଗ ଜୋନର ୩ଟି ଓ କୋଲନରା ବ୍ଳକର କ ଓ ଖ ୨ଟି ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୫ଟି ଆସନରେ ୪୫ଟି ପଂଚାୟତ ଓ ୫୪୮ଟି ୱାର୍ଡ ପାଇଁ ଭୋଟ ପଡିବ । ରାୟଗଡା କ, ଖ ଓ ଗ ଜୋନରେ ୧୫ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ବେଳେ କୋଲନରା କ ଓ ଖ ଜୋନ ପାଇଁ ୧୩ ଜଣ ପ୍ରାର୍ଥୀ ହୋଇଛନ୍ତି । ୧ ଲକ୍ଷ ୩୭ ହଜାର ୬୯୩ ଜଣ ମତଦାତା ସେମାନଙ୍କ ନେତା ବାଛିବେ ।

୨୦୧୭ରେ ରାୟଗଡା କ, ଖ ଓ ଗ ଆସନକୁ ବିଜେଡି ଅକ୍ତିଆର କରିଥିଲା । କିନ୍ତୁ କୋଲନରାରେ ୨ଟି ଆସନରୁ ବିଜେଡି ଗୋଟିଏ ପାଇଥିବା ବେଳେ ଆଉ ଗୋଟିଏ ଗୋଟିଏ କଂଗ୍ରେସ ଖାତାକୁ ଯାଇଥିଲା । ଏଥର ବି ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ କଂଗ୍ରେସ ଚେଷ୍ଟା କରୁଥିବା ବେଳେ ସାସଂଦ ସପ୍ତଗିରି ଉଲ୍ଲାକାଙ୍କ ନେତୃତ୍ୱରେ ପ୍ରଚାର କରିଛନ୍ତି ଦଳୀୟ ପ୍ରାର୍ଥୀ । ସେପଟେ ବିଜେଡି ସୁଇପ୍ କ୍ଲିନ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ । ମୋଟାମୋଟି କହିବାକୁ ଗଲେ ଏଇ ଭୋଟରେ ଲୋକସଭା ସାସଂଦ ସପ୍ତଗିରି ଉଲ୍ଲାକା ଓ ରାଜ୍ୟସଭା ସାସଂଦ ଏନ. ଭାସ୍କର ରାଓଙ୍କ ମଧ୍ୟରେ କଡା ଫାଇଟ୍ ହେବ ।

ଏହି ଦୌଡରେ ବିଜେପି ମଧ୍ୟ ପଛରେ ପଡିନାହିଁ । ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା କରିବା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି ବିଜେପି ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ । ତିନି ପ୍ରମୂଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ୫ଟି ଜାକ ଜିଲ୍ଲାପରିଷଦ ଆସନ ଅକ୍ତିଆର କରିବେ ବୋଲି ଦାବି କରୁଥିବା ବେଳେ ମୂଖ୍ୟତଃ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବା ନେଇ ଚର୍ଚ୍ଚା ହେଉଛି ।