ବଦଳିବ ବାଲେଶ୍ୱର ରେଳ ଷ୍ଟେସନର ରୂପରେଖ : ଅତ୍ୟାଧୁନିକ ଷ୍ଟେସନ ପାଇଁ ୩୦ କୋଟି ଟଙ୍କା ବ୍ୟୟ ବରାଦ

198

କନକ ବ୍ୟୁରୋ : ବଦଳିବ ବାଲେଶ୍ୱର ରେଳ ଷ୍ଟେସନର ରୂପରେଖ । ଅତ୍ୟାଧୁନିକ ଷ୍ଟେସନ ପାଇଁ ୩୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏଥିପାଇଁ ଗୁରୁବାର ଭିତିପ୍ରସ୍ଥର ସ୍ଥାପନ ହୋଇଯାଇଛି । ଏହି ଉତ୍ସବରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଓ ଡିଭିଜିନାଲ ରେଲୱେ ମ୍ୟାନେଜର ମନୋରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ବାଲେଶ୍ୱର ରେଳ ଷ୍ଟେସନ୍‌ ହେଉଛି ଗ୍ରେଡ୍ ଏ’ ଷ୍ଟେସନ୍ । ଏହି ଷ୍ଟେସନ୍‌ରୁ ପ୍ରତ୍ୟହ ୧୮ ହଜାରରୁ ଅଧିକ ଯାତ୍ରୀ ଯାତାୟାତ କରିଥାନ୍ତି । ଏହା ଓଡ଼ିଶାର ଏକ ପ୍ରମୁଖ ଷ୍ଟେସନ୍‌, ଯେଉଁଠାରେ ହାୱାଡ଼ାରୁ ଚେନ୍ନାଇକୁ ଯାଉଥିବା ସମସ୍ତ ଟ୍ରେନ୍‌ର ରହଣି ଅଛି । ଭୁବନେଶ୍ୱର-ରାଜଧାନୀ ଏକ୍ସପ୍ରେସ୍‌, ଭୁବନେଶ୍ୱର-ନୂଆଦିଲ୍ଲୀ ଦୂରନ୍ତ ଏକ୍ସପ୍ରେସ୍‌, ହାୱାଡ଼ା-ଯଶବନ୍ତପୁର ହମ୍‌ସଫର ଏକ୍ସପ୍ରେସ୍‌, ପୁରୀ-ହାୱାଡ଼ା ଶତାବ୍ଦୀ ଏକ୍ସପ୍ରେସ୍‌ ପରି ଅନେକ ଦୂରଗାମୀ ଓ ଦ୍ରୁତଗାମୀ ଟ୍ରେନ୍‌ ଏଠାରୁ ଯାତ୍ରୀ ପରିବହନ କରିଥାନ୍ତି । ବାଲେଶ୍ୱର ରେଳ ଷ୍ଟେସନ୍‌ର ରୂପରେଖ ଆସନ୍ତା ଦିନରେ ସଂପୂର୍ଣ୍ଣ ବଦଳିଯିବ । ମଡେଲ୍‌ ରେଳ ‌ଷ୍ଟେସନ୍‌ ଭାବେ ବିକଶିତ ହେବ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ୨ ବର୍ଷ ମଧ୍ୟରେ ସମସ୍ତ କାମ ଶେଷ କରିବାକୁ ସିଦ୍ଧାନ୍ତ ହୋଇଛି ।

ରେଳ ଷ୍ଟେସନ୍‌ ପରିସରରୁ ଜବରଦଖଲ ଉଚ୍ଛେଦ ସହିତ ମାଲଗୋଦାମ୍‌କୁ ଷ୍ଟେସନ୍‌ ପରିସରରୁ ସ୍ଥାନାନ୍ତର କରାଯାଇ ସେଠାରେ ନୂଆ ବିଲଡିଂ ନିର୍ମାଣ କରାଯିବ । ବସ୍‌ଷ୍ଟାଣ୍ଡରୁ ଫ୍ଲାଏ ଓଭର ନିର୍ମାଣ ହୋଇ ଷ୍ଟେସନ୍‌କୁ ସଂଯୋଗ ହେବ। ଯାତ୍ରୀ ବସ୍‌ଷ୍ଟାଣ୍ଡରୁ ଓହ୍ଲାଇ ସିଧାସଳଖ ଷ୍ଟେସନ୍‌ରେ ପହଞ୍ଚିପାରିବେ । ଏହା ସହିତ ଏହି ଅଞ୍ଚଳରେ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ମଧ୍ୟ ଗଢ଼ିଉଠିବ। ନୂଆ ଷ୍ଟେସନ୍‌ରେ ପ୍ଲାଟ୍‌ଫର୍ମ ସଂପ୍ରସାରଣ, ଯାତ୍ରୀଙ୍କ ପାଇଁ ଲିଫ୍ଟ, ଅଟୋ ଚେୟାର, ସପିଂ ମଲ୍‌, ୱାଇଫାଇ, ରେସ୍ତୋରାଁ, ବେସ୍ କିଚେନ୍, ପାର୍ସଲ୍ ଷ୍ଟୋର୍‌ ଆଦି ଅତ୍ୟାଧୁନିକ ସୁବିଧା ରହିବ । ଏଥିସହିତ କ୍ଲୋକ୍‌ରୁମ୍ ଏଆର୍‌ଏମ୍‌, ଫାଷ୍ଟଏଡ୍‌ ବକ୍ସ, ଜିଆର୍‌ପି ପୋଷ୍ଟ, ବିଶ୍ରାମକକ୍ଷ, ଆରଏମ୍ଏସ୍, ଆରପିଏଫ୍ ପୋଷ୍ଟ, ଦେୟ ଓ ଦେୟମୁକ୍ତ ଶୌଚାଳୟ, ଅତ୍ୟାବଶ୍ୟକ ଘର, ଉଭୟ ପାର୍ଶ୍ବରେ ବୁକିଂ କାଉଣ୍ଟର ରହିବ। ଷ୍ଟେସନ୍‌ ବିଲଡିଂ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୩ କୋଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୭ କୋଟି ଖର୍ଚ୍ଚ କରାଯିବାକୁ ଯୋଜନା ହୋଇଛି ।