‘ହାତ’ ମୁଠାକୁ ଟାଣ କଲେ ବଳଭଦ୍ର ମାଝୀ ! କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ

178

କନକ ବ୍ୟୁରୋ: ବଳ ଗୋଟାଉଛି କଂଗ୍ରେସ । ଶକ୍ତ ହେଉଛି ହାତ । ନିର୍ବାଚନ ଆଗରୁ ରାଜ୍ୟ କଂଗ୍ରେସରେ ସାମିଲ ହେଉଛନ୍ତି ବରିଷ୍ଠ ନେତା । କଳାହାଣ୍ଡି କଂଗ୍ରେସର ଭାରତ ଯୋଡ ଆନ୍ଦୋଳନ ନ୍ୟାୟ ଯାତ୍ରା ସମାବେଶରେ ହାତ ଧରିଛନ୍ତି ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ସମର୍ଥକଙ୍କ ସହ ବିଶାଳ ରାଲିରେ ଆସିି ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଚାରି ଚାରି ଥର ବିଧାୟକ ବଳଭଦ୍ର କଂଗ୍ରେସରେ ସାମିଲ ହେବା ପରେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି ପିସିସି ସଭାପତି ।

ନର୍ଲା ଓ ଲାଞ୍ଜିଗଡ଼ ବିଧାନସଭା ଆସନର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ପରିଚିତ ଥିବା, ବଳଭଦ୍ର ମାଝୀ ବିଜେଡି ଛାଡ଼ିବାର ମାତ୍ର ଦୁଇ ସପ୍ତାହ ପରେ କଂଗ୍ରେସକୁ ବିକଳ୍ପ ଭାବେ ବାଛିଛନ୍ତି । ଭବାନୀପାଟଣାରେ ଆୟୋଜିତ ଏକ ସମାବେଶରେ ପିିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ୫-୫ଥରର ବିଧାୟକ ତଥା ଦୁଇ ଦୁଇ ଥର ମନ୍ତ୍ରୀ ଥିବା ବଳଭଦ୍ରମାଝୀ ଠିକ୍ ସେତେବେଳେ ଯୋଗ ଦେଇଛନ୍ତି, ଯେତେବେଳେ ଆଗକୁ ୨୪ ଲଢ଼େଇ ସାମ୍ନା କରିବାକୁ ଯାଉଛି ଦଳ । କୁହାଯାଉଛି, ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ବଳଭଦ୍ର ମାଝୀ ।

ଏହି ଅବସରରେ ଭବାନୀପାଟଣାରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । କଂଗ୍ରେସ ନେତା ଓ କର୍ମୀ, ଏକ ବିରାଟ ଶୋଭାଯାତ୍ରାରେ ମା ମାଣିକେଶ୍ୱରୀଙ୍କ ମନ୍ଦିର ନିକଟରୁ ବାହାରି ସମାବେଶ ସ୍ଥଳରେ ପହଂଚିଥିଲେ । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଓଡିଶା ପ୍ରଭାରୀ, ପିସିସି ସଭାପତିଙ୍କ ସମେତ ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ସନ୍ତୋଷ ସିଂ ସାଲୁଜା, ଜୟରାମ ପାଙ୍ଗି ପ୍ରମୁଖ ଯୋଗ ଦେଇଥିଲେ । ବଳଭଦ୍ର ମାଝୀ ଦଳରେ ଯୋଗଦେବା, କଂଗ୍ରେସ ପାଇଁ ବେଶ ସହାୟକ ହେବ ବୋଲି ଦଳୀୟ ନେତା କହିଛନ୍ତି ।

ପ୍ରାୟ ୩୫ ବର୍ଷରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଥିବା ବଳଭଦ୍ର ମାଝୀ, ନର୍ଲା ବିଧାନସଭା ଆସନରୁ ୪ ଥର ଏବଂ ଲାଞ୍ଜିଗଡ଼ ଆସନରୁ ଗୋଟିଏ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି ନବୀନ ପଟ୍ଟନାୟକଙ୍କ ସରକାରରେ ଦୁଇ ଥର ମନ୍ତ୍ରୀ ମଧ୍ୟ ରହିଛନ୍ତି ।