କଂଗ୍ରେସ ଟିମରୁ ଖେଳିବେ ପୂର୍ବତନ ହକି ଅଧିନାୟକ। ତଳସରାରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ

232

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ହଲଚଲ ହେଉଛି ରାଜ୍ୟ ରାଜନୀତି । କିଏ କେଉଁଠୁ ନିର୍ବାଚନ ଲଢ଼ିବେ, ସେ ନେଇ ଏବେଠାରୁ ଆରମ୍ଭ ହେଲାଣି ଅଙ୍କକଷା । ପଡିଆରେ ହକି ଷ୍ଟିକ୍ ଧରୁଥିବା ଅଲିମ୍ପିଆନ ପ୍ରବୋଧ ତିର୍କୀ ଏବେ କଂଗ୍ରେସର ହାତ ଧରିବାକୁ ଯାଉଛନ୍ତି । ଆଉ ବଡ଼କଥା ହେଲା ସୁଯୋଗ ମିଳିଲେ ସୁନ୍ଦରଗଡ, ତଲସରା ନିର୍ବାଚନ ମଣ୍ଡଳୀରୁ ଲଢିବେ ବୋଲି କହିଛନ୍ତି ପ୍ରବୋଧ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ତାଙ୍କୁ ବେଶ ଆକୃଷ୍ଟ କରିଛି । ପ୍ରବୋଧ କହିଛନ୍ତି ଯେ ତଳସରା ଅଂଚଳର ସମସ୍ୟା ବିଷୟରେ ସେ ଭଲଭାବେ ଅବଗତ ଅଛନ୍ତି । ଏଠାକାର ପିଲା ପାଠପଢ଼ା ଛାଡ଼ି ବାହାର ରାଜ୍ୟକୁ ଚାଲି ଯାଉଛନ୍ତି । ଏହି ଅଂଚଳର ବିକାଶ ଓ ଲୋକଙ୍କ ସେବା କରିବା ତାଙ୍କର ଲକ୍ଷ୍ୟ ।

କଂଗ୍ରେସର ଗଡ ଥିବା ତଲସରା ନିର୍ବାଚନମଣ୍ଡଳୀ ଗତ ବିଧାନସଭା ନିର୍ବାଚନରେ ବିଜେପି ହାତକୁ ଚାଲିଯାଇଛି । ଏହି ଅଂଚଳରେ ବିଜେଡିର ପ୍ରଦର୍ଶନ ଦୁର୍ବଳ ରହିଛି । ତେଣୁ ପ୍ରବୋଧଙ୍କ ବୟାନ ବିଶେଷ ଗୁରୁତ୍ୱ ରଖୁଛି । ଅନୁମାନ କରାଯାଉଛି ତଲସରାରୁ କଂଗ୍ରେସ ପ୍ରବୋଧଙ୍କୁ ଟିକେଟ୍ ଦେଲେ ରୋଚକ ହେବ ୨୦୨୪ ନିର୍ବାଚନ ଲଢେଇ । କାରଣ ତଳସରାକୁ କଂଗ୍ରେସର ଗଡ଼ କୁହାଯାଏ । ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ଲଗାତର ଏହି ଆସନରେ ଜିତି ଆସୁଥିଲା କଂଗ୍ରେସ । ତେବେ ୨୦୧୯ରେ ଏହି ଆସନରୁ ଜିତିଥିଲେ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ । ୨୦୧୯ ନିର୍ବାଚନରେ ବିଜେଡିର ଷ୍ଟିଫେନ୍ ସୋରେନଙ୍କୁ ହରାଇଥିଲେ ଭବାନୀ । ସେପଟେ ୨୦୦୬ ଉପନିର୍ବାଚନ ସହ ୨୦୦୯ ଓ ୨୦୧୪ରେ ଏହି ଆସନରୁ ଜିତିଥିବା ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡି ଏବେ ବିଜେଡିରେ । ଆଗାମୀ ନିର୍ବାଚନରେ ବିଜେଡି କାହାକୁ ଟିକେଟ୍ ଦେବ, ତାହା ଉପରେ ନିର୍ଭର କରୁଛି ତଲସରା ନିର୍ବାଚନୀ ଲଢେଇ ।

ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ପିସିସି ସଭାପତିଙ୍କୁ ଭେଟିବେ ପ୍ରବୋଧ । ଏହିକ୍ରମରେ ସେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇପାରନ୍ତି ।