ପଶ୍ଚିମା ଝଡ଼ ଓ ଅଦିନିଆ ବର୍ଷା ଯୋଗୁଁ ଲିଭିଲା ଜଙ୍ଗଲ ନିଆଁ: ଖୁସିରେ ଆତ୍ମହରା ହୋଇ ନାଚିଲେ ବନ କର୍ମଚାରୀ

74

କନକ ବ୍ୟୁରୋ: ପୂର୍ବ ଆକଳନ ସତ ହୋଇଛି । ପଶ୍ଚିମାଝଡ ପ୍ରଭାବରେ ବର୍ଷା ହେବା ପରେ ଲିଭିଛି ଜଂଗଲ ନିଆଁ । କିଛି ଦିନ ହେବ ରାଜ୍ୟର ବିଭିନ୍ନ ଜଂଗଲ ଜଳୁଥିବା ଖବର ସାମନାକୁ ଆସିଥିଲା । ଜଂଗଲ ନିଆଁ ଲିଭାଇବାକୁ ବନ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଥିଲା । କିନ୍ତୁ ନିଆଁ ମାଡି ମାଡି ଚାଲିଥିବାରୁ ଚିନ୍ତାର କାରଣ ପାଲଟିଥିଲା । ହେଲେ ପଶ୍ଚିମାଝଡ ବର୍ଷା ଆଣି ଦେଇଛି ଆଶ୍ୱସ୍ତି ।

ଦୀର୍ଘ ଦିନ ଅପେକ୍ଷା ପରେ, ଯେତେବେଳେ ବର୍ଷା ହୋଇଥିଲା, ଆଉ ଜଙ୍ଗଲି ନିଆଁ ଲିଭିବା ଆରମ୍ଭ ହୋଇଥିଲା, ଏ ଥିଲା ସେହି ମୁହୁର୍ତର ଦୃଶ୍ୟ । ନିଆଁ ଲିଭିବା ଦେଖି ନବରଂଗପୁର ଝରିଗାଁ ବ୍ଲକ କଂଗରା ଜଂଗଲରେ ଖୁସିରେ ନାଚି ଉଠିଥିଲେ ବନ ବିଭାଗର କର୍ମଚାରୀ । କିଛି ଦିନ ହେବ ବାରମ୍ବାର ନିଆଁ ଲାଗି ହେକ୍ଟର ହେକ୍ଟର ଜଂଗଲର ମୂଲ୍ୟବାନ ଗଛ ସବୁ ନଷ୍ଟ ହେଉଥିଲା । ଏହାକୁ ନିୟନ୍ତ୍ରଣ କରିବାକୁ ନାକେଦମ ହେଉଥିଲେ ବନ କର୍ମଚାରୀ । କିନ୍ତୁ ଗୋଟିଏ ସ୍ଥାନରେ ନିଆଁ ଆୟତ କରିବା ସମୟରେ ଆଉ ଗୋଟିଏ ସ୍ଥାନରେ ଜଳିଉଠୁଥିଲା । କିନ୍ତୁ ପଶ୍ଚିମାଝଡ ବର୍ଷା ଫଳରେ ନିଆଁ ଆୟତକୁ ଆସିଛି । ସେହିପରି ବାରିପଦାରେ ବର୍ଷାକୁ ଦେଖି ବନକର୍ମଚାରୀ ଖୁସି ହୋଇ ଭିଡିଓ ପୋଷ୍ଟ କରିଛନ୍ତି । ସେହିସବୁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପଶ୍ଚିମାଝଡ ଯୋଗୁଁ ବର୍ତମାନ ଜଂଗଲ ନିଆଁ ଆୟତ ହୋଇଛି ସତ । କିନ୍ତୁ ଆଗକୁ ଅସଲ ପରୀକ୍ଷାର ସମୟ ଆସୁଛି । କାରଣ ଏପ୍ରିଲରୁ ମେ ମାସ ମଧ୍ୟରେ, ଯେତେବେଳେ ଆକାଶରୁ ନିଆଁ ବର୍ଷିବ, ତତଲା ପବନ ବହିବ, ସେତେବେଳେ ପୁଣି ସମାନ ପରିସ୍ଥିତି ଉପୁଜିପାରେ ।