ସମ୍ବଲପୁରରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା । ରେଳ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଲା ବନ ବିଭାଗ । 

54

କନକ ବ୍ୟୁରୋ : ହାତୀ ମୃତ୍ୟୁ ଘଟଣାରେ ପ୍ରକୃତ କାରଣ ଜାଣିବା ପାଇଁ ତତ୍ପରତା ପ୍ରକାଶ କରିଛି ବନ ବିଭାଗ । ରେଳ ବିଭାଗକୁ ଚିଠି କରିବା ସହ ବିଭିନ୍ନ ତଥ୍ୟ ମାଗିଛି । ମାସେ ଭିତରେ କେବଳ ଟ୍ରେନ ଧକ୍କାରେ ୨ଟି ହାତୀ ମୃତ୍ୟୁବରଣ କରିଥିବାରୁ ବନ ବିଭାଗ ପାଇଁ ଏହା ଚ୍ୟାଲେଂଜ ରୂପେ ଉଭା ହୋଇଛି ।

ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛି ବନ ବିଭାଗ । ହାତୀ ଚଳାପଥାରେ ଦୁର୍ଘଟଣା ଘଟିଥିବାରି ସବୁ ଦିଗକୁ ତନ୍ନ ତନ୍ନ କରି ଯାଂଚ କରୁଛି ବିଭାଗ । ଘଟଣା ସଂପର୍କରେ ରେଳ ବିଭାଗକୁ ଚିଠି ଲେଖି ଅନେକ ତଥ୍ୟ ମାଗିଛି ବନବିଭାଗ । ସେ ଦିନ ଟ୍ରେନର ବେଗ କେତେ ଥିଲା? ଟ୍ରେନରେ କିଏ ଲୋକୋ ପାଇଲଟ ଥିଲେ? କିଏ ସହଯୋଗୀ ଥିଲେ? ସେମାନଙ୍କ ନାଁ, ମୋବାଇଲ ନମ୍ବର, ଠିକଣା ମାଗିଛି ବନ ବିଭାଗ । ଏସବୁ ତଥ୍ୟ ମିଳିବା ପରେ ରେଂଜ ଅଫିସର ଓ ଏସିଏଫ୍ମାନଙ୍କୁ ସମନ କରି ପଚରାଉଚୁରା କରାଯିବ ବୋଲି ସୂଚନା ମିଳିଛି । ଏହାସହ ଆସନ୍ତା ୨୪ ତାରିଖରେ ରେଳ ବିଭାଗ ଓ ବନବିଭାଗ ଅଧିକାରୀଙ୍କ ଉପସ୍ଥିତରେ ଏକ ଜରୁରୀ ସମନ୍ୱୟ ବୈଠକ ବସିବ ।

ଏବେ ସଦର ରେଂଜରେ ୬ଟି ପଲରେ ୩୨ଟି ହାତୀ ଚଳାଚଳ କରୁଛନ୍ତି । ତେବେ ଦୁର୍ଘଟଣା ସମୟରେ ହାତୀ ଚଲାପଥରେ ଟ୍ରେନର ବେଗ ଘଂଟା ପ୍ରତି ୫୦ କିଲୋମିଟର ଥିଲା ବୋଲି ସମ୍ବଲପୁର ରେଳ ମଣ୍ଡଳ ସୂଚନା ଦେଇଛି । ବାରମ୍ବାର ଟ୍ରେନ ଦୁର୍ଘଟଣାରେ ହାତି ମୃତ୍ୟୁ ଘଟଣା ଓଡିଶାରେ ସାମ୍ନାକୁ ଆସୁଥିଲେ ମଧ୍ୟ ସରକାରୀ ବଡବାବୁଙ୍କ ବୁଦ୍ଧି କେବେ ଉଦୟ ହେବ ତାହାହିଁ ବଡ ପ୍ରଶ୍ନ ।