ରିମୋଟ ଚିପିଲେ ଖୋଲୁଛି ଫୁଡଭ୍ୟାନ୍ । ପ୍ରଶଂସା ସାଉଣ୍ଟୁଛନ୍ତି ନୀଳାଦ୍ରି ବିହାରର ଯୁବ ବୈଜ୍ଞାନିକ ଶକ୍ତି ପ୍ରସାଦ ସାହୁ

97

କନକ ବ୍ୟୁରୋ : ରିମୋଟ ଚିପିଲେ ଖୋଲୁଛି ଫୁଡଭ୍ୟାନ୍ । କେବଳ ଖୋଲୁଛି ତାହା ନୁହେଁ, ଭ୍ୟାନର ଆକୃତି ୩ଟି ପର୍ଯ୍ୟାୟରେ ବାହାରକୁ ସମ୍ପ୍ରସାରଣ ହେଉଛି । ଭ୍ୟାନରେ ଥିବା ର୍ୟାକ୍ ଏବଂ ସିଡି ମଧ୍ୟ ରିମୋଟରେ ନିୟନ୍ତ୍ରିତ ହୋଇପାରୁଛି । ଭ୍ୟାନର ଆକୃତି ଉପରକୁ ବଢ଼ିପାରୁଛି ଓ ଭିତରକୁ ଯାଇପାରୁଛି । ଆଉ ଗାଡ଼ି ଚାଲିବା ସମୟରେ ପୁଣି ପୂର୍ବବସ୍ଥାକୁ ଫେରିଆସୁଛି ।

ଏମିତି ଏକ ନିଆରା ଡିଜାଇନ କରିଛନ୍ତି ନୀଳାଦ୍ରି ବିହାରର ଯୁବ ବୈଜ୍ଞାନିକ ଶକ୍ତି ପ୍ରସାଦ ସାହୁ । ପୂର୍ବରୁ ସେ ସ୍ୱଂୟଚାଳିତ ସାନିଟାଇଜର ଚାମ୍ବର, ଇ-ବ୍ୟାଟେରୀ ଗାଡି ଏବଂ ପାଣିରେ ଗାଡ଼ି ଚଳାଇ ଅନେକ ପ୍ରଶଂସା ସାଉଟିଁଥିବା ବେଳେ ଏଥର ରିମୋଟରେ ନିୟନ୍ତ୍ରିତ ଫୁଡ ଭ୍ୟାନ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ସେ କେବଳ ଏତିକିରେ ଅଟକି ଯାଇନାହାନ୍ତି, ଗିନିଜ ୱାର୍ଲ୍ଡ ରେକର୍ଡ, ଲିମକା ବୁକ୍ ଅଫ୍ ରେକର୍ଡ ଓ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି । ଏହା ବିଶ୍ୱର ପ୍ରଥମ ରିମୋଟ୍ ନିୟନ୍ତ୍ରିତ ଫୁଡ୍ ଭ୍ୟାନ୍ ହୋଇଥିବା ଦୃଢ଼ତାର ସହ ଶକ୍ତି ଦାବି କରିଛନ୍ତି । ପ୍ରାୟତଃ ମାଲବୁହା ଗାଡି ପୁରୁଣା ହୋଇଗଲା ପରେ ଫୁଡ ଭ୍ୟାନ ଭାବରେ ରୂପାନ୍ତରଣ କରାଯାଇଥାଏ । କିନ୍ତୁ ଏଥିରେ କିଛି ନିଆରା କରିବାକୁ ପ୍ରୟାସ ଆରମ୍ଭ କରିଥିଲେ ଶକ୍ତି । ପ୍ରାୟ ୩ ମାସ ଅନୁସନ୍ଧାନ କରିବା ପରେ ଏହି ଭ୍ୟାନର କାମ ସେ ଆରମ୍ଭ କରିଥିଲେ ।