କନକ ବ୍ୟୁରୋ : ଅଲୋଡ଼ା ହୋଇପଡ଼ିଥିବା ଗୁଆ ଗଛର ଭଣ୍ଡାରୁ ତିଆରି ହେଉଛି ଖାଇବା ଥାଳି ଓ ଦନା । ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ପରିବେଶକୁ କ୍ଷତି ପହଂଚାଉଥିବା ବେଳେ ଏଭଳି ପରିବେଶ ଉପଯୋଗୀ ସାମଗ୍ରୀ ତିଆରି ଲାଭବାନ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାଜିତପୁର ପଂଚାୟତର ଚକାନୟନ ଉତ୍ପାଦିକା ଗୋଷ୍ଠୀ ଏଭଳି ସାମଗ୍ରୀ ତିଆରି ଆତ୍ମନିର୍ଭର ହୋଇପାରିଛନ୍ତି । ଘର କାମ ସହିତ ମହିଳା ମାନେ ଏହି କାମ ପାଇଁ ଦିନକୁ ୨ଘଂଟା ଲେଖାଏଁ ସମୟ ଦେଉଛନ୍ତି । ଏଥିରୁ ମିଳୁଥିବା ଅର୍ଥରେ ମହିଳା ମାନେ ନିଜର ଖର୍ଚ୍ଚ କରିବା ସହ ପିଲା ଛୁଆଙ୍କ ଖର୍ଚ୍ଚରେ ସହଯୋଗ କରିପାରୁଛନ୍ତି ।

Advertisment

ଚକାନୟନ ଉତ୍ପାଦକ ଗୋଷ୍ଠୀର ୩୫ରୁ ଅଧିକ ମହିଳା ଏହି କାମ ଦ୍ୱାରା ଉପକୃତ ହୋଇପାରୁଛନ୍ତି । ମହିଳା ମାନଙ୍କୁ ଏହି କାମରେ ସହଯୋଗର ହାତ ବଢ଼ାଇଛନ୍ତି ଓରମାସ ଓ ମିଶନ ଶକ୍ତି । ପୂର୍ବରୁ ହାତ ମେସିନରେ କାମ ହେଉଥିଲା ଏବେ ଉନ୍ନତମାନର ମେସିନ୍ ଆସିବାରୁ ବଢ଼ିଛି ଉତ୍ପାଦନର ମାତ୍ରା । ଓଡ଼ିଶା ସୀମା ଭୋଗରାଇ ଅଂଚଳରେ ପ୍ରଚୁର ପରିମାଣର ଗୁଆ ଅମଳ ହୋଇଥାଏ ।

ଗୁଆ ଅମଳ ପରେ ଏହାର ଶୁଖିଲା ଅଂଶକୁ ଲୋକମାନେ ଫୋପାଡ଼ି ଦେଇଥାଆନ୍ତି । ଓରମାସ ପକ୍ଷରୁ ମହିଳା ମାନେ ଏକ ତାଲିମ ନେଇ ଲୋକଙ୍କ ଠାରୁ ଗୁଆ ଗଛର ଭଣ୍ଡାକୁ ସଂଗ୍ରହ କରି ଏଭଳି ଏକ ସୁନ୍ଦର ଉଦ୍ୟୋଗ ପ୍ରତିଷ୍ଠା କରିଛନ୍ତି । ଅତି ସହଜ ଓ ସରଳ ପ୍ରକ୍ରିୟାରେ ଏହି ସାମଗ୍ରୀ ପ୍ରସ୍ତୁତ ହେଉଥିବାରୁ ମହିଳା ମାନେ ଏହି କାମକୁ ଆପଣାଇଛନ୍ତି ।

ପ୍ରସ୍ତୁତ ହେଉଥିବା ସାମଗ୍ରୀକୁ ଗ୍ରାହକ ମାନେ ବେଶ ପସନ୍ଦ କରୁଛନ୍ତି । ଏହାକୁ ପୁରୀ, କଟକ, ଭୁବନେଶ୍ୱର, ଅନଗୁଳ ଭଳି ଜିଲ୍ଲାକୁ ବିକ୍ରି ପାଇଁ ପଠାଯାଉଛି । ସ୍ଥାନୀୟ ବଜାର ସହ ମିଶନ ଶକ୍ତି ବଜାରରେ ମଧ୍ୟ ଏହାକୁ ବିକ୍ରି କରାଯାଉଛି । ୨୦୧୬ରୁ ଆରମ୍ଭ ହୋଇଥିବା ଏହି ଉଦ୍ୟୋଗ ଏବେ ଅନେକ ମହିଳାଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି ।