କନକ ବ୍ୟୁରୋ: ଚଳିତ ଦିନିକିଆ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ହରାଇ ନେଦରଲାଣ୍ଡ ସମସ୍ତଙ୍କୁ ଚକିତ କରିଦେଇଛି । ଏମିତି ଘଟଣା ଏହି ବିଶ୍ୱକପରେ ଦ୍ୱିତୀୟ । ଏହାପୂର୍ବରୁ ଆଫଗାନିସ୍ତାନ ଗତ ବିଶ୍ୱ ବିଜେତା ଇଂଲଣ୍ଡକୁ ହରାଇଥିଲା । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହିରୋ ସାଜିଥିବା ନେଦରଲାଣ୍ଡର ବୋଲର ପଲ୍ ଭାନ ମିକେରେନଙ୍କୁ ନେଇ ଏବେ ଚର୍ଚ୍ଚା । ନେଦରଲାଣ୍ଡର ଏହି ବୋଲର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯ ଓଭରରେ ୪୦ ରନ ଦେଇ ୨ ୱିକେଟ ହାସଲ କରିଥିଲେ । ସେ ଏଡେନ ମାରକ୍ରାମ ଓ ମାକ୍ରୋ ଜାନସେନଙ୍କ ୱିକେଟ ନେଇଥିଲେ । ତେବେ ଆପଣ ଜାଣନ୍ତି କି ନେଦରଲାଣ୍ଡ ପାଇଁ ହିରୋ ସାଜିଥିବା ଏହି ଖେଳାଳି ଦିନେ ଫୁଡ ଡେଲିଭରି ବୟ ଭାବେ କାମ କରୁଥିଲେ । ଆଉ ଏବେ ନେଦରଲାଣ୍ଡର ଏହି ଐତିହାସିକ ବିଜୟର ସାକ୍ଷୀ ରହିଛନ୍ତି ।

Advertisment

ବିଶ୍ୱକପର ୩ ବର୍ଷ ପୂର୍ବରୁ ସାରା ବିଶ୍ୱରେ କରୋନା ତାଣ୍ଡବ ରଚିଥିଲା । ଆଉ ସେଥିପାଇଁ ଅନେକ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା । ଅନେକ କ୍ରିକେଟରଙ୍କ ଆର୍ଥିକ ସ୍ଥିତି ବି ଖରାପ ହେଉଥିଲା । ସେମିତି କିଛି କ୍ରିକେଟରଙ୍କ ଭିତରେ ରହିଥିଲେ ପଲ୍ ଭାନ ମିକେରେନ । ସେ ନଭେମ୍ବର ୨୦୨୦ରେ ଏକ ଟ୍ୱିଟ କରିଥିଲେ ଯାହା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପରେ ଭାଇରାଲ ହେଉଛି । ମିକେରନ ଲେଖିଥିଲେ, ସେ ଫୁଡ ଡେଲିଭରି ବଏ ଭାବେ କାମ କରୁଛନ୍ତି, କାରଣ ଏବେ କ୍ରିକେଟ ବନ୍ଦ ଅଛି । ସେ ହାର ମାନି ନାହାନ୍ତି ଗୁଜୁରାଣ ମେଣ୍ଟାଇବାକୁ ଫୁଡ ଡେଲିଭରି କାମ କରୁଛନ୍ତି ।

୩୦ ବର୍ଷିୟ ମିକେରେନ ୨୦୧୩ ମସିହାରେ କ୍ରିକେଟରେ ଡେବ୍ୟୁ କରିଥିଲେ । ଆଉ ସଂଯୋଗ ଏମିତି ଯେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହିଁ ଡେବ୍ୟୁ କରିଥିଲେ । ଆଉ ଏବେ ସେହି ଦଳ ସହ ମ୍ୟାଚ ଖେଳି ଚର୍ଚ୍ଚାରେ ରହିଛନ୍ତି । ଆଉ ଦିନିକିଆ କ୍ୟାରିୟର ଭିତରେ ସେ ୨୦ ୱିକେଟ ନେଇଥିଲେ । ସେହିପରି ୫୭ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳି ୬୪ ୱିକେଟ ନେବାରେ ସଫଳ ହୋଇଛନ୍ତି ।

ଚଳିତ ବର୍ଷ ପଞ୍ଚମଥର ପାଇଁ ବିଶ୍ୱକପ ଖେଳୁଛି ନେଦରଲାଣ୍ଡ ଦଳ । ୨୦୧୧ ପରେ ନେଦରଲାଣ୍ଡ ପୁଣି ୨୦୨୩ରେ ବିଶ୍ୱକପ ଖେଳୁଛି । ଆଉ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ତାର ୨୩ତମ ମ୍ୟାଚ ଖେଳିଛି । ଯେଉଁଥିରେ ସେ ଆଇସିସିର ପୂର୍ଣ୍ଣ୍ୟ ସଦସ୍ୟତାର ଦଳକୁ ହରାଇଛି । ଏହା ପୂର୍ବରୁ ନେଦରଲାଣ୍ଡ ୨୦୨୩ରେ ନାମିବିଆ, ୨୦୦୭ରେ ସ୍କଟଲାଣ୍ଡକୁ ହରାଇଥିଲା । ସେହିପରି ଚଳିତ ବିଶ୍ୱକପରେ ନେଦରଲାଣ୍ଡ ଦଳ ୩ ମ୍ୟାଚ ଖେଳି ଗୋଟିଏ ବିଜୟ ୨ଟି ପରାଜୟଲାଭ କରିଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ବର୍ଷା କାରଣରୁ ୫୦ ଓଭର ମ୍ୟାଚରୁ ୭ ଓଭର ଲେଖାଏଁ କଟା ଯାଇଥିଲା । ଦକ୍ଷିଣ ଆଫ୍ରିକା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ନେଦରଲାଣ୍ଡ ଭଲ ପ୍ରଦର୍ଶନ କରିନଥିଲା । ୮୨ ରନରେ ଅଧା ଟିମ ଆଉଟ ହୋଇଯାଇଥିଲା । ହେଲେ ପରେ ଏଡଓର୍ଡଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଦଳ ୨୪୫ ରନ କରିଥିଲା । ଯାହାକୁ ପୂରଣ ନକରିପାରି ପରାଜିତ ହୋଇଥିଲା ଦକ୍ଷିଣ ଆଫ୍ରିକା ଦଳ ।