କନକ ବ୍ୟୁରୋ: ବଦଳୁଛି ନାଗାବଳୀ ନଦୀର ଗତିପଥ । ଅନ୍ୟପଟେ ଭୂଇଁ ଫାଟି ବାହାରୁଛି ପାଣି । ଅଧିକ ଗତିରେ ଝରରୁ ପାଣି ବାହାରୁଥିବାରୁ ଧୀରେ ଧୀରେ ମାଟି ଅତଡା ଖସିବାରେ ଲାଗିଛି । ଖାଲି ସେତିକି ନୁହଁ ଏକର ଏକର ଚାଷ ଜମି ନଦୀ ଗର୍ଭରେ ଲୀନ ହେବାରେ ଲାଗିଲାଣି । ରାୟଗଡା ଅଞ୍ଚଳର ମାରିଗୁଡାରେ ରହୁଛନ୍ତି ୮୦ରୁ ଅଧିକ ପରିବାର । କିଛି ବର୍ଷ ହେଲା ନଦୀ କୂଳ ଖାଇ ଚାଲିଥିବାରୁ ସୁରକ୍ଷା ପାଚେରୀ ପାଇଁ ଦାବି କରୁଛନ୍ତି ଲୋକମାନେ । ନଦୀ ଓ ଝରରୁ ବାହାରୁଥିବା ପାଣି ପାଇଁ ଏବେ ଚାଷ ଜମି ପରେ ସମ୍ପୁର୍ଣ୍ଣ ଗାଁ ନଦୀ ଗର୍ଭରେ ଲୀନ ହେବାକୁ ବସିଛି । ଆଉ ମାତ୍ର ୫୦ ମିଟର ମାଟି ଅତଡା ଖସିଲେ ସମ୍ପୁର୍ଣ୍ଣ ମାରିଗୁଡା ଗାଁ ଲୀନ ହୋଇଯିବ । ଯାହା ପାଇଁ ଗାଁର ଲୋକେ ରାତି ଅନିଦ୍ରା ହୋଇ ଜଗି ରହୁଛନ୍ତି । ବଂଶଧାରା ଓ ନାଗାବଳୀ ଉଭୟ ନଦୀର ବନ୍ୟା ସୁପରିଚାଳନା ପାଇଁ ୯୪କୋଟି ୨୬ ଲକ୍ଷ ୧୭ହଜାର ଟଙ୍କାର ପ୍ରକଳ୍ପ ଅନୁମୋଦନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ୨୦୧୬ ମସିହାରୁ ଏହି ପ୍ରସ୍ତାବ ପଠାଯାଇଥିବା ବେଳେ ଏବେ ସୁଦ୍ଧା ଅନୁମୋଦନ ମିଳିପାରିନି ।

Advertisment

ସେହିଭଳି ରାୟଗଡ଼ା–ଗଜପତି ସୀମାନ୍ତ ପାଇଁ ବନ୍ୟା ନିୟନ୍ତ୍ରଣକାରୀ ପ୍ରକଳ୍ପ ପାଇଁ ୬୦ କୋଟି ୧୮ଲକ୍ଷ ୩୭ ହଜାର ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ହେଲେ ଏଯାଏଁ ସେହି କାମ ବି ଆରମ୍ଭ ହୋଇପାରିନି । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଥିବା ବେଳେ ଏହାର ସ୍ଥାୟୀ ସମାଧାନ କରିଛନ୍ତି ଗ୍ରାମବାସୀ । କିଛି ଲୋକ ଗାଁ ନଦୀ ଗର୍ଭରେ ଲୀନ ହେବା ପୂର୍ବରୁ ଗାଁ ଛାଡି ଯିବାକୁ ବସିଲେଣି ।