ଭାର୍ଗବୀ ନଦୀରେ ବନ୍ୟା ଆସିବା ପରେ ଭୁଷୁଡିଲା ନଦୀବନ୍ଧ । ଭୟରେ ରାତିତମାମ ଜଗିଲେ ନଈକୂଳିଆ ଲୋକେ, ଆହୁରି ପାଣିଆସିଲେ ଚାଷ ନଷ୍ଟ ହେବା ସହ ଧନଜୀବନ କ୍ଷତି ହେବା ଆଶଙ୍କା

300

କନକ ବ୍ୟୁରୋ : ରାତିତମାମ ଜଗି ରହୁଛନ୍ତି ନଈକୂଳିଆ ଲୋକେ । ନଦୀବନ୍ଧ ଉପରେ ଜଗି ଅନେଇ ବସିଛନ୍ତି ଭାର୍ଗବୀ ନଦୀକୁ । ନଦୀରେ ବନ୍ୟାପାଣି ଅଧିକ ମାତ୍ରାରେ ପ୍ରବାହିତ ହେଉଥିବାବେଳେ ବନ୍ଧ ଭୁଶୁଡିବା ଏବେ ତଟବର୍ତୀ ଅଂଚଳ ଲୋକଙ୍କ ଚିନ୍ତା ବଢାଇଦେଇଛି । ନଦୀ ଭୁଶୁଡିବା ସ୍ଥାନରେ କବଳ କିଆ ଗଛ ଓ ବାଉଁଶକୁ ଭରସା କରି ରହୁଛନ୍ତି ଲୋକେ । ସତ୍ୟବାଦୀ ବ୍ଲକର ବିଦ୍ୟାଧରପୁର ନେତ୍ରମାଳିସାହି ନିକଟରେ ଭାର୍ଗବୀ ନଦୀବନ୍ଧ ଭିତର ପଟୁ ମାଟି ଭୁଷୁଡିଛି ।

ଫଳରେ ନଦୀ ତଟବର୍ତ୍ତୀ ଅଂଚଳର ହଜାର ହଜାର ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଥିବାବେଳେ ବର୍ଷାରେ ନଦୀବନ୍ଧ ଖାଇ ଭୁଷୁଡିବା ସମସ୍ତଙ୍କୁ ଭୟଭୀତ କରାଯାଇଛି । ସାମାନ୍ୟ ବର୍ଷାରେ ନଦୀ ଖାଇ ବନ୍ଧ ମୂଳକୁ ଆସିଲାଣି, ବର୍ଷା ଲଗାତାର ହେଉଛି । ନଦୀରେ ଆହୁରି ପାଣି ଆସିଲେ ଏକର ଏକର ଚାଷଜମିରେ ଚାଷ ନଷ୍ଟ ହେବା ସହ ଜନଜୀବନ କ୍ଷତି ହେବା ଆଶଙ୍କା ସୃଷ୍ଟି ହୋଇଛି ।