ମୁଣ୍ଡଳିରେ ପହଁଚିଲା ହୀରାକୁଦ ଡ୍ୟାମର ବନ୍ୟା ଜଳ । ନରାଜରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ପାଣି

102

କନକ ବ୍ୟୁରୋ :  ମହାରୂପ ନେଇଛି ମହାନଦୀ । ମାଡି ଆସୁଛି ବନ୍ୟା ଜଳ । ମୁଣ୍ଡଳିରେ ହୀରାକୁଦ ଡ୍ୟାମ ପାଣି ପହଁଚିବା ପରେ ବୃଦ୍ଧି ହୋଇଛି ଜଳସ୍ତର । ହୀରାକୁଦ ଡ୍ୟାମରୁ ଶୁକ୍ରବାର ନିଷ୍କାସିତ ପ୍ରାୟ ୧୦ ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ପହଁଚିଛି । ଏହି ବନ୍ୟାଜଳ ଆଜି ରାତି ସୁଦ୍ଧା କଟକ, ଜଗତସିଂହପୁର ଓ ପୁରୀ ଆଦି ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ବିଭିନ୍ନ ନଦୀରେ ପଶିବ । ଏହାର ପ୍ରଭାବରେ ମହାନଦୀ ଓ ଏହାର ଶାଖା ନଦୀ ଗୁଡିକର ଜଳସ୍ତର ଅଧିକାଂଶ ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

ନରାଜଠାରେ ମହାନଦୀରେ ବିପଦ ସଂକେତଠାରୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ଆଳି ପିଙ୍ଗଳଠାରେ ଜଳସ୍ତର ବଢ଼ିବାରେ ଲାଗିଛି । ଦୟା, ଭାଗର୍ବି, କୁଶଭଦ୍ରା, ଚିତ୍ରୋତ୍ପଳା ସମେତ ଶାଖା ନଦୀଗୁଡିକ ଟଳମଟଳ ହେଲାଣି । ନଦୀ ଗୁଡିକର ଏପରି ରୂପ ଦେଖି ନଦୀ କୂଳିଆ ଅଂଚଳରେ ବସବାସ କରୁଥିବା ଲକ୍ଷ ଲକ୍ଷ ଲୋକ ଛାନିଆ ହୋଇ ଯାଇଛନ୍ତି । ଏବେଠାରୁ ବିଭିନ୍ନ ଜିଲ୍ଲାର କେତେକ ଗାଁରେ ପାଣି ପଶିବା ଆରମ୍ଭ ହୋଇଗଲାଣି ।