ଦୁଃଖ ଦେଇଗଲା ବନ୍ୟା । ଜମିରେ ସଢିଗଲା ଫସଲ, କଣ କରିବ ଚାଷୀ ? ମୁଣ୍ଡରେ ହାତ ଦେଇ କଇଁ କଇଁ କାନ୍ଦୁଛି ଚାଷୀ

93

କନକ ବ୍ୟୁରୋ : ବନ୍ୟା ପାଣି ଛାଡିବା ପରେ କ୍ଷେତକୁ ଦେଖିଲେ ଚାଷୀଙ୍କ ଛାତି ଫାଟି ଯାଉଛି । ହଜାର ହଜାର ଚାଷ ଜମିରେ ଧାନ ଗଛ ପଚି ନଷ୍ଟ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ୧୧ଟି ପଂଚାୟତର ଚାଷ ଜମିକୁ ଦେଖି କାନ୍ଦୁଛି ଚାଷୀ ।

ସମ୍ବଲପୁରରେ ମଧ୍ୟ ସମାନ ଅବସ୍ଥା । ଚାଷ ଜମିରୁ ହଜିଯାଇଛି ସବୁଜିମା, ପଚି ଯାଇ କାଦୁଅରେ ଲୋଟୁଛି ଧାନ ଗଛ । ସମ୍ବଲପୁର ଜିଲ୍ଲାର ମହାନଦୀ ତଳି ଅଂଚଳର ଚାଉଁରପୁର, ବ୍ରହ୍ମପୁରା, ଗୁଣ୍ଡେରପୁର ଗାଁର ଶହ ଶହ ଏକର ଧାନ ଫସଲ ନଷ୍ଟ ହୋଇଛି । ଦୁଇ ମାସ ପରେ ଧାନ ଅମଳ ହୋଇଥାନ୍ତା, ହେଲେ ଅମଳ ପୂର୍ବରୁ ସବୁ ଛାରଖାର କରିଦେଇଛି ବନ୍ୟା ।

ସେପଟେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମଲ୍ଲିଆ ଛକ ଅଂଚଳର ଲୋକେ ଏବେ ବି ଜଳବନ୍ଦୀ ଜୀବନ କାଟୁଛନ୍ତି । ବର୍ଷା ଜଳ ନିଷ୍କାନ ହୋଇନପାରି ଚାଷ ଜମିରେ ଜମିଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି ।

ବର୍ଷା କମିଛି, ବିଭିନ୍ନ ଅଂଚଳରୁ ବନ୍ୟା ପାଣି ଛାଡୁଛି, ଏହାରି ଭିତରେ କେନ୍ଦ୍ରାପଡା ଜିଲ୍ଲା ରାମଚନ୍ଦ୍ରପୁର ପଂଚାୟତରୁ ଆସିଛି ଅଭାବନୀୟ ଚିତ୍ର । କଦଳୀ ଭେଳାରେ ଯିବା ଆସିବା କରୁଛନ୍ତି ଲୋକେ । କଉଡିଆବେରଇ ଗ୍ରାମର ୨ ନମ୍ବର ୱାର୍ଡର ୨୦ ପରିବାର ଜଳବନ୍ଦୀ ହୋଇ ନିର୍ବାସନ ଦଣ୍ଡ ଭୋଗୁଛନ୍ତି । ଲଗାଣ ବର୍ଷାରେ ଗାଁ ଚାରିପଟେ ଜମିଥିବା ପାଣି ନିଷ୍କାସନ ହୋଇପାରୁନି । ଫଳରେ ଲୋକଙ୍କ ଏକମାତ୍ର ଭରସା ପାଲଟିଛି କଦଳି ଭେଳା ।