ଦୁଃଖ ଆଣିଦେଲା ବନ୍ୟା । ଅନେକ ସ୍ଥାନରେ ଜମିରହିଛି ୧୦ ଫୁଟ ଉଚ୍ଚର ପାଣି, ଛାତ ଉପରେ ଭୋକ ଉପାସରେ ପଡିରହିଛନ୍ତି ଲୋକ

144

କନକ ବ୍ୟୁରୋ : ଏବେ ବନ୍ୟା ପାଣି ବିପନ୍ନଙ୍କ ପାଇଁ ଡାକି ଆଣିଛି ଦୁଃଖ । ଗାଁ ଦାଣ୍ଡରେ ୫ ଫୁଟ ଉପରେ ପାଣି । ବର୍ଷା କମିଥିଲେ ମଧ୍ୟ ପାଣି ଛାଡିବାର ନାଁ ଧରୁନି । ଏହାରି ଭିତରେ ପୁରୀ ଜିଲ୍ଲା କଣାସ ବ୍ଲକ ଶିମିଳିପାଟଣା ଗାଁରେ ବର୍ତମାନ ଜମି ରହିଛି ବନ୍ୟା ପାଣି । ଏବେ କିଛି କିଛି ସ୍ଥାନରେ ପ୍ରାୟ ୧୦ ଫୁଟ ଉଚ୍ଚରେ ବି ପାଣି ଜମି ରହିଥିବାରୁ ଛାଚ ଉପରେ ଆଶ୍ରୟ ନେଇଛନ୍ତି ଲୋକେ । ଏହା ସହିତ ଗୃହପାଳିତ ପଶୁଙ୍କୁ ବି ସାଥୀରେ ନେଇ ଘର ଛାତ ଉପରେ ଲୋକେ ମୁଣ୍ଡ ଗୁଂଜିଛନ୍ତି ।

କିଏ ତମ୍ୱୁ ପକାଇ ରହୁଛି, ତ କିଏ ଖୋଲା ଆକାଶ ତଳେ ଜୀବନ କାଟୁଛି । ତଳେ ଜମିଛି ବନ୍ୟା ପାଣି । ବନ୍ୟା ଆସିବା ପରେ ଘରେ ଚୁଲି ଜଳିବା ବି ବନ୍ଦ ହୋଇଗଲାଣି । ଖାଦ୍ୟ ଅଭାବକୁ ପାଣି ଅଭାବ ବନ୍ୟା ବିପନ୍ନଙ୍କ ପାଇଁ ଉକ୍ରଟ ସମସ୍ୟା ସୃଷ୍ଟି କରିଛି । ବନ୍ୟା ଜଳରେ ଏବେ ବି ଗାଁର ମନ୍ଦିର , ବିଦ୍ୟାଳୟ, ଘର , ରାସ୍ତା ସବୁକିଛି ବୁଡି ରହିଛି । ଜୁଆଡେ ଦେଖିବେ କେବଳ ଆଉ ପାଣି ସ୍ଥିତି । ଏପରି ଅବସ୍ଥାରେ କଣାସରେ ବନ୍ୟା ବିପନ୍ନ ଜଳବନ୍ଦୀ ଜୀବନ କାଟୁଛନ୍ତି ।

ସେପଟେ ଦୁର୍ଦଶାରେ ଖୋର୍ଧା ଜିଲ୍ଲାରେ ବନ୍ୟା ପ୍ରପୀଡିତ । ରାଜୁଆ ନଦୀର ବନ୍ୟା ଜଳ ପଶିବା ପରେ ଗାଁ ଦାଣ୍ଡ ପାଲଟିଛି ପୋଖରୀ । ଆଉ ପାଣି ଭିତରେ ଜୀବନ କାଟୁଛନ୍ତି ଲୋକେ । ଖୋର୍ଧା ଜିଲ୍ଲାର ଓରବରସିଂ ଓ ନରଣଗଡ ପଂଚାୟତର ୧୫ ଗାଁରୁ ଏବେ ବି ପାଣି ଖସିନି । ଗାଁ ଦାଣ୍ଡରେ ୪ ଫୁଟ ପାଣି ରହିଥିବାରୁ ଲୋକେ ଛାତ ଉପରେ ଆଶ୍ରୟ ନେଇଛନ୍ତି ।

ପାଗରେ ଏବେ ପରିବର୍ତନ ଆସିଛି , ହେଲେ ବନ୍ୟାର ଦୁଃଖ କିନ୍ତୁ କମ୍ ହୋଇନି । ବନ୍ୟା ପ୍ରପୀଡିତ ଡିହଖଳା, ହିରିମୂଳ, ଓରମି, ମାନପୁର, ନରଣଗଡ , ଓରବରସିଂ, ମଶାଣିଆ, କୃଷ୍ଣପୁର, ରାଇପୁର ଆଦି ଗାଁରେ ଏବେ ବି ଜମି ରହିଛି ବନ୍ୟା ପାଣି । କେବେ କମିବ ବନ୍ୟା ପାଣି ତାକୁ ଅପେକ୍ଷା କରି ରହିଛନ୍ତି ଲୋକେ ।