ମାଲକାଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ପରିସ୍ଥିତି : ୩୨୬ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ, ମୋଟୁ ଅଂଚଳର ଅଧିକାଂଶ ଏବେ ବି ଜଳମଗ୍ନ; ଗୋଦାବରୀରେ ଖସୁଛି ଜଳସ୍ତର

79

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ପରିସ୍ଥିତି । ୬ ଦିନ ପରେ କାଙ୍ଗୋରୁକୋଣ୍ଡା ପୋଲ ଉପରୁ ହ୍ରାସ ପାଇବା ପରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ସ୍ୱାଭାବିକ ହୋଇଛି । ତେବେ ପୋଲ ଉପରେ ଏକ ଟ୍ରକ୍ ଫସି ରହିଥିବାରୁ ସେହି ବାଟ ଦେଇ କେବଳ ଛୋଟ ଛୋଟ ଗାଡି ଯାତୟତ କରିପାରୁଛି । ଅନ୍ୟପଟେ ମୋଟୁ ଅଂଚଳରେ କିନ୍ତୁ ବନ୍ୟା ସ୍ଥିତିରେ ବିଶେଷ କିଛି ପରିବର୍ତନ ଆସି ନାହିଁ । ଏବେ ବି ମୁଗି ପଏଂଟ ସହ ପୁରୁଣା ମୋଟୁ ଅଂଚଳ ଜଳମଗ୍ନ ଅବସ୍ଥାରେ ରହିଛି । ଗୋଦାବରୀ ନଦୀର ଜଳସ୍ତର ୬୩ ଫୁଟରୁ ୫୩ଫୁଟକୁ ଖସି ଆସିଥିବା ଜଣାପଡିଛି ।ସେପଟେ , ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମହାନଦୀକୁ କେତେ ପାଣି ପ୍ରବେଶ କରୁଛି ତା’ଉପରେ ନଜର ରଖିଛି ଜଳ ସଂପଦ ବିଭାଗ । ଏବେ ହୀରାକୁଦରେ ଜଳସ୍ତର ୬୧୬ ଦଶମିକ ୦୮ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ମଧ୍ୟକୁ ୩ ଲକ୍ଷ ୩୩ ହଜାର ୪୩୧ ଘନଫୁଟ ଜଳ ପ୍ରବେଶ କରୁଛି । ଏହି ସମୟରେ ୩ ଲକ୍ଷ ୬ ହଜାର ୯୨୦ ଘନଫୁଟ ଜଳ ନିଷ୍କାସିତ ହେଉଛି । ତେବେ ଉପର ମୁଣ୍ଡରେ ମହାନଦୀକୁ କେତେ ଜଳ ପ୍ରବେଶ କରୁଛି ତା ଉପରେ ଜଳ ସଂପଦ ବିଭାଗ ନଜର ରଖିଛି । ତେଲ ଓ ଜିରା ନଦୀରୁ କେତେ ପାଣି ଆସୁଛି ତାକୁ ମଧ୍ୟ ହିସାବ କରାଯାଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଛତିଶଗଡ ଉପର ମୁଣ୍ଡରେ ବର୍ଷା ରହିଛି । ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦ ଡ୍ୟାମ୍ର ୨୦ଟି ଗେଟ୍ ଖୋଲା ଯାଇଛି । ଫଳରେ ଖଇରମାଳରେ ୩ ଲକ୍ଷ ୮୫ ହଜାର ଘନଫୁଟ, ବରମୂଳଠାରେ ୪ ଲକ୍ଷ ୫୦ ହଜାର ଏବଂ ମୁଣ୍ଡଳୀଠାରେ ୪ ଲକ୍ଷ ୩୧ ହଜାର ୫ଶହ ଘନଫୁଟ ଜଳ ପ୍ରବାହିତ ହେଉଛି । ତେଣୁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି ।