ଯାଜପୁରରେ ବନ୍ୟା ସ୍ଥିତି ଚିନ୍ତାଜନକ : ବିପଦ ସଂକେତ ଉପରେ ବ୍ରାହ୍ମଣୀ, ଖରସ୍ରୋତା; ପାଣି ଘେରରେ ୬ଟି ବ୍ଲକ

185

କନକ ବ୍ୟୁରୋ : ଲଗାଣ ବର୍ଷା ଫଳରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ଓ ଖରସ୍ରୋତାରେ ଦଳସ୍ତର ବିପଦ ସଂକେତ ଉପରେ ଗତି କରୁଛି । ଫଳରେ ଜିଲ୍ଲାର ୬ଟି ବ୍ଲକ ଯଥା ବରି, ବିଞ୍ଝାରପୁର, ରସୁଲପୁର, ଯାଜପୁର, ସୁକିନ୍ଦା ଓ କୋରେଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୧୩ଟି ଘାଇ ସୃଷ୍ଟି ହୋଇଛି ।
ବ୍ରାହ୍ମଣୀ ନଦୀରେ ବିପଦ ସଂକେତ ୨୩ ମିଟର ଥିବାବେଳେ ଦିନ ୧୧ଟା ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପି ୨୩.୪୬୦ ମିଟରରେ ପ୍ରବାହିତ ହେଉଛି । ବିଞ୍ଝାରପୁରର ମଲ୍ଲିପୁର ନିକଟରେ ଖରସ୍ରୋତା ନଦୀରେ ଏକ ଘାଇ ସୃଷ୍ଟି ହୋଇଛି । ଏହା ଫଳରେ ଶତାଧିକ ଲୋକ ପାଣିଘେରରେ ଫସିରହିଛନ୍ତି । ସେହିପରି ବରିର ମାଟିଆପଡ଼ା, ଶଙ୍କରାକୂଳ, ଗୋଲକୁଣ୍ଡା ମଙ୍ଗଳାମନ୍ଦିର ନିକଟରେ ଘାଇ ସୃଷ୍ଟି ହୋଇଛି । ଗତକାଲି ବୈତରଣୀ ଓ କାଣି ନଦୀରେ ବନ୍ୟା ଯୋଗୁଁ ଦଶରଥପୁର, ଯାଜପୁର ଓ କୋରେଇ ବ୍ଲକ ପ୍ରଭାବିତ ହୋଇଥିଲା । କୋରେଇ ବିଧାୟକ ଅଶୋକ ବଳ, ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡେଇ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ।