ବିଳମ୍ବ ହେଲା ବିମାନ ଉଡ଼ାଣ, ରାଗିଗଲେ ଯାତ୍ରୀ: ସିଟରୁ ଉଠି ପାଇଲଟଙ୍କୁ ମାରିଲେ ମାଡ଼

283

କନକ ବ୍ୟୁରୋ: କୁହୁଡ଼ି ଯୋଗୁଁ ବିମାନ ଉଡାଣରେ ବିଳମ୍ବ ହେଉଥିବା ନେଇ ଘୋଷଣା କରୁଥିଲେ ପାଇଲଟ । ହଠାତ ନିଜ ସିଟରୁ ଉଠି ଆସି ପାଇଲଟଙ୍କ ଉପରେ ବର୍ଷିଥିଲେ ଜଣେ ଯାତ୍ରୀ ।ବିମାନରେ ଅଧଘଂଟାରୁ ଅଧିକ ସମୟ ବସିବା ପରେ ବିମାନ ଉଡାଣରେ ଡେରି ନେଇ ଘୋଷଣା କରିବାକୁ ପାସେଞ୍ଜର ଚାମ୍ବରକୁ ଆସିଥିଲେ ପାଇଲଟ । ଅଧଘଂଟାରୁ ଅଧିକ ସମୟ ଧରି ବିମାନରେ ବସି ବସି ବିରକ୍ତ ହୋଇଥିବା ଜଣେ ଯାତ୍ରୀ ପୁଣି ଡେରିରେ ଉଡାଣ ଖବର ଶୁଣି ରାଗରେ ନିୟନ୍ତ୍ରଣ ହରାଇଥିଲେ । ନିଜ ସିଟରୁ ଉଠିଯାଇ ପାଇଲଟଙ୍କୁ ଏକ ଚାପୁଡା ଦେଇଥିଲେ । ପାଖରେ ଛିଡା ହୋଇଥିବା ଜଣେ ଏୟାରହୋଷ୍ଟେଜ ଯାତ୍ରୀଙ୍କୁ ରୋକିଥିଲେ । ଘଟଣାସ୍ଥଳରେ ଆଉ କିଛିଜଣ ମଧ୍ୟ ଯାତ୍ରୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ଏଭଳି ଘଟଣା ଦେଖି କେହି ଆଶ୍ଚର୍ଯ୍ୟ ହୋଇପଡିଥିଲେ ତ ପୁଣି କିଏ ଅସନ୍ତୋଷ ଜାହିର କରିଥିଲେ । ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ଘଟଣାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବୟାନ ସାମ୍ନାକୁ ଆସିଛି । ପାଇଲଟଙ୍କ ଉପରେ ଆକ୍ରମଣକୁ ନିନ୍ଦନୀୟ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ରବିବାର ଦିଲ୍ଲୀରୁ ଉଡାଣ ଅପେକ୍ଷାରେ ଥିବା ଇଣ୍ଡିଗୋ ବିମାନରେ ଏହି ଘଟଣା ଘଟିଛି । ରବିବାର ଦିଲ୍ଲୀ ବିମାନ ବନ୍ଦରରେ ଘନ କୁହୁଡି ଯୋଗୁଁ ପାଖାପାଖି ୧୦୦ଟି ବିମାନର ଉଡାଣ ବିଳମ୍ବିତ ହୋଇଥିଲା ।

ଦିଲ୍ଲୀରୁ ଗୋଆ ଯିବାକୁ ଥିବା ଇଣ୍ଡିଗୋ ବିମାନର ପାଇଲଟ ଯାତ୍ରରଙ୍କୁ ବିଳମ୍ବ ବାବଦରେ ସୁଚନା ଦେଉଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ । ଅଭିଯୁକ୍ତ ଯାତ୍ରୀଙ୍କ ନାମ ସାହିଲ କଟାରିୟା ବୋଲି ଜଣାପଡିଛି । ଘଟଣାର କିଛି ସମୟରେ ସିଆଇଏସଏଫ କର୍ମଚାରୀ ସାହିଲ କଟାରିୟାଙ୍କୁ ବିମାନରୁ ଓହ୍ଲାଇ ନେଇ ଅଟକ ରଖିଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ କ୍ଷମା ମାଗିଥିବା ଜଣାପଡିଛି । ସୂଚନା ଅନୁସାରେ ଯାତ୍ରୀ ଜଣକ ଗୋଆ ଯିବାକୁ ବିମାନ ଟିକେଟ କରିଥିଲେ । ଶୀତଦିନରେ ପ୍ରବଳ କୁହଡି ବିମାନ ଓ ଟ୍ରେନ ଚଳାଚଳ ପାଇଁ ବାଧାପ୍ରାପ୍ତ ହେଉଛି । ଅଧିକାଂଶ ବିମାନ ଉଡାଣ ରଦ୍ଧ ହେବା ସହ କିଛିର ରୁଟ ପରିବର୍ତନ କରାଯାଉଛି । ଯାହା ପାଇଁ ଯାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଶ ଦେଖିବାକୁ ମିଳୁଛି । ଏହା ଭିତରେ ପାଇଲଟଙ୍କୁ ଯାତ୍ରୀଙ୍କ ମାଡ଼ମରା ଘଟଣା ବେଶ ଚର୍ଚ୍ଚାରେ ରହିଛି ।