କନକ ବ୍ୟୁରୋ: ଶିଳ୍ପ ବିହୀନ କେନ୍ଦ୍ରାପଡା ରାଜନଗର ବ୍ଲକର ଅଧିବାସୀ କୃଷି ଓ ମାଛ ଉପରେ ନିର୍ଭରଶୀଳ । ରାଜନଗର ଅଣ ଜଳସେଚିତ ଅଞ୍ଚଳ ହୋଇଥିବାରୁ ଏଠାରେ କେବଳ ଖରିଫ ଧାନ ଚାଷ ହୋଇଥାଏ । ଅଧିକାଂଶ ପରିବାର ମାଛ ଚାଷ କରି ଜୀବିକା ନିର୍ବାହ କରନ୍ତି । ନଦୀ ଓ ସମୁଦ୍ର ଘେରି ରହିଥିବାରୁ ପ୍ରାୟ ୩୦ ହଜାର ମତ୍ସ୍ୟଜୀବୀ ସମୁଦ୍ର ଓ ନଦୀରୁ ମାଛ ମାରି ପରିବାର ଚଳାନ୍ତି । ବିଭିନ୍ନ ସମୟରେ ମାଛଧରା ଉପରେ କଟକଣା ଯୋଗୁଁ ମତ୍ସ୍ୟଜୀବୀ ପରିବାର ଏବେ ସମସ୍ୟା ସହ ଜୁଝି ହେଉଛନ୍ତି ।

Advertisment

ଅଣ ଜଳସେଚିତ ରାଜନଗରକୁ ଗୋଟିଏ ପଟେ ବଙ୍ଗୋପସାଗର ଓ ଅନ୍ୟ ୩ ପଟେ ବ୍ରାହ୍ମଣୀ, ବୈତରଣୀ, ପାଟ୍ଟଶାଳା ନଦୀ ଘେରି ରହିଛି । ନଦୀ ଓ ସମୁଦ୍ର ମଝିରେ ଥିବା ଅଞ୍ଚଳର ସିଂହଭାଗ ମାଛ ମାରି ପରିବାର ପୋଷିଥାନ୍ତି । ହେଲେ ଜୈବ ବିଧତା ଓ ବିଭିନ୍ନ କାରଣ ପାଇଁ ନଭେମ୍ବର ୧ରୁ ମେ ୩୧ ଯାଏଁ ମାଛଧରା ଉପରେ କଟକଣା ଲଗାଯାଉଛି । ୧୨ ମାସରୁ ୭ ମାସ କଟକଣା ଲାଗି ରହୁଛି । ପ୍ରାୟ ଦେଢ ମାସ ବାତ୍ୟା, ବନ୍ୟା ପାଇଁ ସମୁଦ୍ର ଭିତରକୁ ଯାଇହେଉନାହିଁ । ପ୍ରଭାବିତ ମତ୍ସ୍ୟଜୀବୀ ପରିବାରକୁ ସରକାର ୧୫ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି । ଏତେ କମ୍ ଟଙ୍କାରେ ଏତେ ମାସ କିପରି ପରିବାର ପ୍ରତିପୋଷଣ କରିବେ, ତାକୁ ନେଇ ଚିନ୍ତାରେ ପଡିଛନ୍ତି ମତ୍ସ୍ୟଜୀବୀ ।

ରାଜନଗରରେ ପ୍ରାୟ ୩୦ ହଜାର ମତ୍ସ୍ୟଜୀବୀ ରହିଛନ୍ତି । ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ୬,୭୭୩ ପରିବାରକୁ ୧୫ ହଜାର ଟଙ୍କା ଲେଖାଏଁ ସହାୟତା ମିଳିଛି । ରାଜନଗର ବ୍ଲକର ବହୁ ମତ୍ସ୍ୟଜୀବୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ପ୍ରାୟ ୭୦ ପ୍ରତିଶତ ମତ୍ସ୍ୟଜୀବୀ ସହାୟତା ପାଇନଥିବା ଅଭିଯୋଗ କରିଛନ୍ତି । ଏପରି ସ୍ଥଳରେ ବଳକା ମତ୍ସ୍ୟଜୀବୀଙ୍କୁ ଏହି ତାଲିକାରେ ସାମିଲ କରିବା ଓ ସହାୟତା ରାଶି ବୃଦ୍ଧି କରିବା ପାଇଁ ସାଧାରଣରେ ଦାବି ହୋଇଛି ।