କନକ ବ୍ୟୁରୋ : କନ୍ଧମାଳକୁ ସ୍ପର୍ଶ କରିଛି ପହିଲି ଶୀତ । ସକାଳୁ ସକାଳୁ କୁହୁଡ଼ି ଓ କାକର ପଡ଼ିଛି । ପ୍ରାତଃଭ୍ରମଣ ଓ ବ୍ୟାୟାମ କରି ଲୋକ ପହିଲି ଶୀତରୁ ମଜା ଉଠାଇଥିଲେ । ଏ ବର୍ଷ ହାଡ଼ଭଂଗା ଶୀତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି । ହେଲେ ଚଳିତ ବର୍ଷ ଶୀତ ପର୍ଯ୍ୟଟନରେ ମହାମାରୀ କରୋନା ବାଧକ ସାଜିବାକୁ ଯାଉଛି । ଶୀତରେ କରୋନା ଅଧିକ କାୟା ବିସ୍ତାର କରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଥିବା ବେଳେ ଆଗାମୀ ୩ ମାସ କନ୍ଧମାଳ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ଆଜିର ଦିନରେ ସର୍ବନିମ୍ନ ତାପମାତ୍ରା ୨୨ ଥିବା ବେଳେ ଆଜି ୧୬ ଡିଗ୍ରି ରହିଛି । ଗତ ୨୫ରେ ସର୍ବନିମ୍ନ ତାପମାତା ୧୮ ଓ ଗତକାଲି ୧୭ ଥିବା ବେଳେ ଆଜି ୧୬ ରହିଥିବାରୁ ଆଗକୁ ଆହୁରି ପାରଦ ଖସିବାର ସମ୍ଭାବନା ରହିଛି । ହେଲେ ଗତ ୨୦୧୭ରେ ୧୦ ବର୍ଷର ରେକର୍ଡ ଭାଙ୍ଗିଥିଲା ଶୀତ । କନ୍ଧମାଳରେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରି ରହିଥିଲା। ୨୦୧୮ ଓ ୨୦୧୯ରେ ସର୍ବନିମ୍ନ ତାପମାତ୍ରା ରହିଥିଲା ୨.୫ । ଚଳିତ ବର୍ଷ ଶୀତ ୨୦୧୭ ରେକର୍ଡ ଭାଙ୍ଗିବାର ସଂପ୍ରତି କନ୍ଧମାଳରେ କରୋନା ଗ୍ରାଫ୍ ନିମ୍ନସ୍ତରକୁ ଗତି କରିଛି । ଏହାକୁ ନେଇ ଜିଲ୍ଲାବାସୀ କିଛିଟା ଆଶ୍ବସ୍ତ ହୋଇଥିଲେ ବି ଆଗାମୀ ୩ ମାସ କରୋନା କି ରୂପ ନେବ ତା’କୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି ।
କାରଣ ଆସନ୍ତା ୩ ମାସ ନଭେମ୍ବର, ଡିସେମ୍ବର ଓ ଜାନୁଆରିରେ କନ୍ଧମାଳରେ ପ୍ରବଳ ଶୀତ ଅନୁଭୂତ ହେବ । ଏପରିକି ଫେବ୍ରୁଆରି ପର୍ଯ୍ୟନ୍ତ ଶୀତ ଲାଗି ରହିବ । ଶୀତବେଳେ କରୋନା ପୁଣିଥରେ କାୟା ମେଲାଇବାର ଭୟ ଥିବାରୁ ସମ୍ଭାବ୍ୟ ସଂକ୍ରମଣରୁ ଜିଲ୍ଲାବାସୀଙ୍କୁ ରକ୍ଷା କରିବା ସରକାର ଓ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିବ । ଜିଲ୍ଲାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏବେଠୁ ସରକାର ଓ ପ୍ରଶାସନ ମୁକାବିଲା ନିମନ୍ତେ ପ୍ରସ୍ତୁତି କରିବା ଜରୁରୀ ହୋଇ ପଡ଼ିଛି ।