ସ୍ୱାମୀ କରୁଥିଲେ ଦ୍ୱିତୀୟ ବିବାହ: ପୋଲିସକୁ ଖବର ଦେଇ ନିରାଶ ହେବା ପରେ ବେଦୀ ପାଖରେ ପ୍ରଥମ ସ୍ତ୍ରୀଙ୍କ ହଙ୍ଗାମା

524

କନକ ବ୍ୟୁରୋ: ପ୍ରଥମ ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ । ପ୍ରଥମ ସ୍ତ୍ରୀଙ୍କ ସହ ବିବାହ ବିଚ୍ଛେଦ ମାମଲା ପରିବାର ଆଦାଲତରେ ଚାଲିଛି । ପ୍ରଥମ ସ୍ତ୍ରୀ ଶ୍ୱଶୁର ଘରେ ରହୁଥିବା ବେଳେ ଦ୍ୱିତୀୟ ବିବାହ କରିଛନ୍ତି ସ୍ୱାମୀ । ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ପାଇଁ ବିବାହ ମଣ୍ଡପ ପାଖରେ ପହଂଚିଥିଲେ ସ୍ତ୍ରୀ । ବିବାହ ରୋକିବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ ବେଦୀ ପାଖରେ ହଙ୍ଗାମା କରିଥିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଏନଏସି ଗଡରେ ଥିବା ଧର୍ମଶାଳାରୁ ଏହି ଦୃଶ୍ୟ ଆସିଛି । ତେବେ ଅଭିଯୋଗ ଅନୁସାରେ, ସମ୍ବଲପୁର ବୁର୍ଲା ସ୍ଥିତ ନାରାୟଣ ବାଗଙ୍କ ଝିଅ ପ୍ରିୟମ୍ବଦା ୨୦୧୫ରେ ରାଉରକେଲା ଜଗତାର କନ୍ଦର୍ପ ହରିପାଲଙ୍କ ପୁଅ ଓମ୍ ପ୍ରକାଶଙ୍କୁ ବିବାହ କରିଥିଲେ । ବିବାହର ଅଳ୍ପ କିଛି ମାସ ପରେ ଶାଶୁଘର ଲୋକ ଯୌତୁକ ଦାବି କରିବାରୁ ସଂସାରରେ ଝଡ ଉଠିଥିଲା । ପ୍ରିୟମ୍ବଦା ବାପା ଘରେ ରହୁଥିବା ବେଳେ ଏନେଇ ସେ ପରିବାର ଅଦାଲତର ଆଶ୍ରୟ ନେଇଛନ୍ତି । ମାମଲା ଏବେ ସମ୍ବଲପୁର ଫ୍ୟାମିଲି କୋର୍ଟରେ ବିଚାରଧିନ ଥିବା ବେଳେ ଶାଶୁଘର ଲୋକ ଓମ୍ ପ୍ରକାଶଙ୍କ ଦ୍ୱିତୀୟ ବିବାହ କରାଇବାକୁ ଉଦ୍ୟମ କରୁଥିବା ଜାଣି ଗତ ୧୧ ତାରିଖରେ ଥାନାର ଦ୍ୱାରସ୍ଥ ହୋଇଥିଲେ ପ୍ରୟିମ୍ବଦା । ତେବେ ପୁଲିସ କୌଣସି ପଦକ୍ଷେପ ନନେବାରୁ ଗତକାଲି ଓମ୍ ପ୍ରକାଶଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ବରପକ୍ଷ ଥାନା କୋର୍ଟର ଜାଲ କାଗଜପତ୍ର ଦେଖାଇ ବିବାହ କରାଇଥିବା ଅଭିଯୋଗ କରିଛନ୍ତି ପ୍ରଥମ ସ୍ତ୍ରୀ । ପୁୁଲିସ ଜାଣିଶୁଣି ନିରବ ରହୁଥିବା ଅଭିଯୋଗ ହୋଇଛି ।