ଫୁଲବାଣୀରେ ଶୀତର ପହିଲି ସ୍ପର୍ଶ : ଚାରିଆଡେ କୁହୁଡିଆ ପରିବେଶ; ଗଛ ଲତାରେ କାକର ବିନ୍ଦୁ ବଢାଉଛି ପରିବେଶର ସୌନ୍ଦର୍ଯ୍ୟ. ମଜା ନେଉଛନ୍ତି ଲୋକେ 

182

କନକ ବ୍ୟୁରୋ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ । ଏବେ ସକାଳୁଆ ପରିବେଶରେ ଚାରିଆଡେ ଛାଇ ରହୁଛି କୁହୁଡି । ଗଛଲତାରେ ଭରି ରହୁଛି ଟୋପା ଟୋପା କାକର ବିନ୍ଦୁ । ଏହାରି ଉପରେ ହାଲକା ସୂର୍ଯ୍ୟ କିରଣ କିଂବା ଆଲୋକ ପଡିଲେ ମୁକ୍ତା ପରି ଭ୍ରମ ସୃଷ୍ଟି କରୁଛୁ । ଏହାରି ଭିତରେ କନ୍ଧମାଳରେ ପ୍ରକୃତି ରାଣୀ ଧାରଣ କରିଛି ଅପରୂପ ସୌନ୍ଦର୍ଯ୍ୟ । ଟୋପା ଟୋପା କାକର ବିନ୍ଦୁ ଓ ଶୀତୁଆ ପରିବେଶର ମଜା ନେବାକୁ ଏବେ ଫୁଲବାଣୀ ସହରରେ ଲୋକମାନେ ସକାଳେ ବାହାରକୁ ବାହାରୁଛନ୍ତି ।

ସକାଳୁ ସକାଳୁ ପ୍ରାତଃ ଭ୍ରମଣକୁ ଆସି ଏହି ପହିଲି ଶୀତର ମଜା ନେଉଛନ୍ତି ଲୋକେ । ଏହି ପରିବେଶର ମଜା ନେବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବା ଆରମ୍ଭ କଲାଣି । ନଭେମ୍ବର ମାସରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ ଲାଗିବ ଫୁଲବାଣୀରେ । ଶୀତର ଏହି ଚାରିମାସ କନ୍ଧମାଳର ପରିବେଶ କାଶ୍ମିର ଓ ଦାର୍ଜିଂ ଭ୍ରମ ସୃଷ୍ଟି କରିଥାଏ ।  ଏଠିକାର ଛୋଟ ବଡ ଜଳପ୍ରପାତ, ବଣଜଙ୍ଗଲ, ପାହାଡ ଘେରା ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କ ମନ ମୋହି ନେଇଥାଏ ।