ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ଭୋଟ୍ । ବଡ ନେତାଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା

89

କନକ ବ୍ୟୁରୋ: ରାତି ପାହିଲେ ନିର୍ବାଚନ । ସମସ୍ତ ୩୦ ଜିଲ୍ଲାର ୭୧ଟି ବ୍ଲକରେ ଭୋଟ୍ ପଡିବ । ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁଲିଂ ଅଧିକାରୀମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚିଯାଇଛନ୍ତି । ଏପଟେ ବିଭିନ୍ନ ସ୍ଥାନରେ ଗାଁ ଗାଁରେ ଲୋକେ ପହରା ଦେଉଥିବା ଦେଖିବାକୁ ମିଳିଛି ।

ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ ରାଜନୈତିକ ଦଳ ଗୁଡିକ ଭୋଟ ପୂର୍ବ ରାତିରେ ଲାଞ୍ଚ କାରବାର କରିଥାନ୍ତି । ଏହାକୁ ରୋକିବା ପାଇଁ କେତେକ ସ୍ଥାନରେ ଲୋକେ ପହରା ଦେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏସବୁ ଭିତରେ ଚିନ୍ତାରେ ଅଛନ୍ତି ନେତା । ବଡ ବଡ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । କାରଣ ପଞ୍ଚାୟତ ନିର୍ବାଚନରୁ ତାଙ୍କର ପତିଆରା ଜଣାପଡିବ । ଦଳୀୟ ତଥା ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇ ପାରିଲେ ଦଳରେ କାଟତି ବି ବଢିବ । ଆଗକୁ ସାଧାରଣ ନିର୍ବାଚନରେ ବଡ ନେତାଙ୍କୁ ବଡ ସୁଯୋଗ ବି ମିଳିପାରେ ।

ଗାଁ ଗାଁରେ ନେତା ବାଛିବେ ଜନତା । ୩୦ଟି ଜିଲ୍ଲାର ୧୬୬୯ ଗ୍ରାମ ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବାକୁ ଯାଉଛି, ଯେଉଁଥିରେ ପ୍ରାୟ ୬୮ ଲକ୍ଷ ଲୋକ ଭୋଟ୍ ଦେବେ । ତେବେ ୨ ଶହ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ନିର୍ବାଚନରେ ଅନେକ ବଡ ବଡ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ତାଙ୍କ ଦାୟିତ୍ୱରେ ଥିବା ଅଞ୍ଚଳରେ କେତେ ପ୍ରାର୍ଥୀଙ୍କୁ ଜିତାଇପାରୁଛନ୍ତି ସେହି ଅନୁସାରେ ତାଙ୍କର ପତିଆରା ସାବ୍ୟସ୍ତ ହେବ । ସେଥିପାଇଁ ନେତା ବି ପୁରା ଜୋର ଲଗାଇଛନ୍ତି ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ।

ବଲାଙ୍ଗିରରେ ଏଥର ରାଜନୈତିକ ପାଣିପାଗ ଏଥର ବେଶ ସରଗରମ ରହିଛି । କାରଣ ଏଠାରେ ନେତାଙ୍କ ଅଗ୍ନିପରୀକ୍ଷା ହେଉଛି । ଗୋଟିଏ ପଟେ କଳିକେଶ ସିଂହଦେଓ ଅନ୍ୟପଟେ ବିଜେପିର କନକବର୍ଦ୍ଧନ ସିଂହଦେଓ ଓ ଆଉ ଗୋଟିଏ ପଟେ କଂଗ୍ରେସର ନରସିଂହ ମିଶ୍ରଙ୍କ ଭିତରେ ଲଢେଇ ହେବାକୁ ଯାଉଛି ।

ସେହିପରି ବାଲେଶ୍ୱରରେ ଜଣାପଡିବ କାହାର ଦମ କେତେ? ଅନନ୍ତ ଦାସ, ପ୍ରତାପ ଷଡଙ୍ଗୀ ଓ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ମଧ୍ୟରେ କିଏ ତାଙ୍କ ପ୍ରାର୍ଥଙ୍କୁ ଜିତାଇପାରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ଏହା ସହିତ କଳାହାଣ୍ଡିରେ ମମିତା ମେହେର ପ୍ରସଙ୍ଗ କଣ ପ୍ରଭାବ ପକାଉଛି? ତା ଉପରେ ନଜର ରହିଛି । ଏହି ପଞ୍ଚାୟତ ନିର୍ବାଚନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ମଧ୍ୟ ଅଗ୍ନିପରୀକ୍ଷା କହିଲେ ଭୁଲ ହେବ ନାହିଁ । ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ କାଟତି ବି ଏହି ନିର୍ବାଚନରୁ ଜଣାପଡିବ ।

ମାହାଙ୍ଗାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭାଗ୍ୟ ମଧ୍ୟ ପରୀକ୍ଷା ହେବାକୁ ଯାଉଛି । କାରଣ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏଥର ବିଜେଡି କେମିତି କରୁଛି , ତାହା ପ୍ରତାପ ଜେନାଙ୍କ ପାଇଁ ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିଭଳି ଆଳି ଅଞ୍ଚଳରେ ଏଥର ପଞ୍ଚାୟତ ଭୋଟ୍ ପ୍ରତାପ ଦେବଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ । ଖରସ୍ରୋତା ପାଇଁ ଆନ୍ଦୋଳନ ଓ ଅନ୍ୟାନ୍ୟ ପ୍ରସଙ୍ଗ ଭିତରେ ଏଥର ଭୋଟ୍ ହେବାକୁ ଯାଉଛି । ସେପଟେ କଂଗ୍ରେସର ଦେବେନ୍ଦ୍ର ଶର୍ମାଙ୍କ ପାଇଁ ବି ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ।

ବରଗଡରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପାଇଁ ମଧ୍ୟ ଭାଗ୍ୟପରୀକ୍ଷା ହେବାକୁ ଯାଉଛି । ଏହି ନିର୍ବାଚନରୁ ଜଣାପଡିବ ମନ୍ତ୍ରୀଙ୍କ କାଟତି କାମକରୁଛି ନା ଅନ୍ୟ ଦଳର ପ୍ରଭାବ ବଢିବାରେ ଲାଗିଛି । ମୟୁରଭଞ୍ଜରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ଏପଟେ ନବୀନ ସରକାରଙ୍କ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ମଧ୍ୟରେ ଲଢେଇ ହେବାକୁ ଯାଉଛି । ତେଣୁ ଗାଁ ରାଜନୀତିର ଏହି ଲଢେଇ ଗାଁ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ରାଜନୈତିକ ଦୃଷ୍ଟିକୋଣରୁ ବଡ ବଡ ନେତାଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଲଢେଇ ଏବେ ପତିଆରାର ଲଢେଇ ବନିଯାଇଛି ।