ଭାରତ କରୁଛି କରୋନା ମୁକାବିଲା: ପ୍ରଥମ ପର୍ଯ୍ୟାୟ ଜନଗଣନା ଓ ଏନପିଆର ଅପଡେଟ୍ ପ୍ରକିୟା ସ୍ଥଗିତ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଜନଗଣନା ସ୍ଥଗିତ ରଖିବାକୁ କେନ୍ଦ୍ରର ନିଷ୍ପତି ।

399

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତି । ପ୍ରଥମ ପର୍ଯ୍ୟାୟ ଜନଗଣନା ସ୍ଥଗିତ ରଖିବାକୁ ନିଷ୍ପତି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ  ସ୍ଥଗିତ ରହିବ ୨୦୨୧ ପ୍ରଥମ ପର୍ଯ୍ୟାୟ ଜନଗଣନା । ଏପରିକି ଏନପିଆର ସଂଶୋଧନ କାର୍ଯ୍ୟ ମଧ୍ୟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ଏପ୍ରିଲ ୧ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଜନଗଣନାର ପ୍ରାଥମିକ କାର୍ଯ୍ୟ ସାରିବାକୁ କେନ୍ଦ୍ର ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । କରୋନା ଭାଇରସ ମୁକାବିଲା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିବାରୁ ବର୍ତ୍ତମାନ ଦେଶବ୍ୟାପୀ ଲକ୍ ଡାଉନ୍ କରାଯାଇଛି । ତେଣୁ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି ।

ତେବେ ଗତ ମାର୍ଚ୍ଚ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଗଣନା ଘୁଞ୍ଚାଇବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଚିଠି ଲେଖି ଅନୁରୋଧ କରିଥିଲେ । ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସାରିବାକୁ ସାରା ଦେଶରେ ୩୦ ଲକ୍ଷ କର୍ମଚାରୀଙ୍କର ଆବଶ୍ୟକତା ରହିଛି । ହେଲେ ଏମାନଙ୍କର ଟ୍ରେନିଂଠାରୁ ଆରମ୍ଭ କରି ଫିଲଡ଼ ଭିଜିଟ ଜରିଆରେ ତଥ୍ୟ ସଂଗ୍ରହ ଉପରେ କରୋନା ଭାଇରସ ବିପଦ ରହିଛି । ତେଣୁ ପୂର୍ବ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ୨୧ ଦିନ ପର୍ଯ୍ୟନ୍ତ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ କରୋନା ମୁକାବିଲା ପାଇଁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି ।