କନକ ବ୍ୟୁରୋ: ବହୁ ପ୍ରତିକ୍ଷିତ ଲୋୟର ସୁକତେଲ ପ୍ରକଳ୍ପରେ ପ୍ରଥମ ବନ୍ୟାଜଳ ଅଟକି ରହିଛି । ବଲାଙ୍ଗୀର ଜିଲ୍ଲାର ମାଗୁରବେଡା ଠାରେ ହୋଇଥିବା ପ୍ରକଳ୍ପର ସ୍ୱପ୍ନ ଧିରେ ଧିରେ ସତ ହେବାକୁ ଯାଉଛି । ପ୍ରଥମ ବନ୍ୟାଜଳକୁ ଅଟକ ରଖାଯାଇଛି, ଆଉ ସେହି ପାଣି ଭିତରେ ହଜାର ହଜାର ଲୋକଙ୍କ ସ୍ୱପ୍ନ ବୁଡିଯାଇଛି । ହଜିଯାଇଛି ଶହ ଶହ ବର୍ଷର ସ୍ମୃତି । ୯ଟି ଗାଁ ପୁରା ନିଶ୍ଚିନ୍ନ ହୋଇଯାଇଛି । ଗଡଶଙ୍କର ଡୁଙ୍ଗୁରିପାଲି ଓ ବନଛୋରପାଲି ପାଣିରେ ବୁଡିଯାଇଛି ।

Advertisment

ଘରଦ୍ୱାର ସବୁ ବୁଡି ଯାଇଛି, ଠାଏ ଠାଏ କେବଳ ଖପର ଘରର ତୁଳି ଓ କୋଠା ଘରର ଛାତ ଦେଖାଯାଉଛି । ବଲାଙ୍ଗୀରରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ସୁକତେଲ ନଦୀରେ ଆସିଥିବା ପାଣିକୁ ଡ୍ୟାମ ଅଟକାଇ ରଖିଛି । ପ୍ରଥମ ଥର ପାଇଁ ଡ୍ୟାମରେ ପାଣି ଗଚ୍ଛିତ ରହୁଥିବାରୁ ଲୋକମାନେ ଦେଖିବାକୁ ଭିଡ ଜମାଉଛନ୍ତି । ଡ୍ୟାମ ପାଖରେ ଠିଆ ହୋଇ ଜଳସମାଧି ନେଇଥିବା ଗାଁକୁ ଦେଖୁଛନ୍ତି ଲୋକେ । ହେଲେ ଏହି ପ୍ରକଳ୍ପ ପାଇଁ ଭିଟାମାଟି ହରାଇଥିବା ଲୋକ ଆଜି ଆଖିରୁ ଲୁହ ଝରାଉଛନ୍ତି । ମାଆ ମାଟିକୁ ଝୁରୁଛନ୍ତି । ବିସ୍ଥାପନ ବ୍ୟବସ୍ଥା ଭିତରେ ସରକାରଙ୍କ ପକ୍ଷରୁ ସବୁ ସୁବିଧା ସୁଯୋଗ ମିଳିଛି । ହେଲେ ନଦୀ, ଜଙ୍ଗଲ ଓ ସମ୍ପର୍କୀୟଙ୍କ ଠାରୁ ଦୂରେଇ ଯାଇ ଖୁବ୍ କଷ୍ଟରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ହୋଇଥିବା କଲୋନୀରେ ରହି ଜନ୍ମମାଟିକୁ ଝୁରି ହେଉଛନ୍ତି ।