ଦିଅଁ ଦର୍ଶନରୁ ନୂଆ ବର୍ଷ : ଖୋଲିନି ମନ୍ଦିର, ନୂଆବର୍ଷରୁ ବାହାରୁ ଭଗବାନଙ୍କ ଦର୍ଶନ କରି ବର୍ଷ ଆରମ୍ଭ କଲେ ଶ୍ରଦ୍ଧାଳୁ

୨୦୨୧ରେ କରୋନା କଷ୍ଟ ଦୂର କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା

65

କନକ ବ୍ୟୁରୋ : ୨୦୨୧ ନୂଆ ବର୍ଷକୁ ସ୍ୱାଗତ । ନୂଆ ଉତ୍ସାହ ଓ ନୂଆ ସମ୍ଭାବନା ନେଇ ଆସିଛି ୨୦୨୧ । ୨୦୨୧ ପ୍ରଥମ ଦିନର ପ୍ରଥମ ସୂର୍ଯ୍ୟ ଉଇଁ ସାରିଛି । ନୂଆ ବର୍ଷରେ ଆରମ୍ଭ ବିଭୁ ଦର୍ଶନରୁ କରିବାକୁ ବେଶ୍ ଆଶା ରଖିଥିଲେ ରାଜଧାନୀ ବାସୀ । ହେଲେ କରୋନା କଟକଣା ହଟିନଥିବାରୁ ଏଥର ନୂଆ ବର୍ଷରେ ମନ୍ଦିର ଖୋଲିନି । ରାମ ମନ୍ଦିରରେ ପହଁଚି ବାହାରୁ ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ କରି ଫେରିଛନ୍ତି । ତଥାପି ନୂଆ ବର୍ଷରେ କରୋନାର କଷ୍ଟ ଯେପରି ଦୂର ହୋଇଯିବ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତମାନେ ।

ବାଲେଶ୍ୱରରେ ଠାକୁରଙ୍କ ଦର୍ଶନରୁ ଆରମ୍ଭ ହୋଇଛି ନୂଆ ବର୍ଷ । ବ୍ରଜକେଶ୍ୱର ମନ୍ଦିରରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । କରୋନା କାରଣରୁ ଏଥର ଅଳ୍ପ ସଂଖ୍ୟାରେ ଶ୍ରଦ୍ଧାଳୁ ସକାଳୁ ଦର୍ଶନ ପାଇଁ ଆସିଛନ୍ତି । ତେବେ ନୂଆ ବର୍ଷରେ ଠାକୁରଙ୍କ ଦର୍ଶନ ସହ ନୂଆ ବର୍ଷ ଆରମ୍ଭ କରି ସମସ୍ତଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

ନୂଆ ବର୍ଷର ଆରମ୍ଭ ମହାପ୍ରଭୁଙ୍କ ଦର୍ଶନରୁ କରିବାକୁ ଭକ୍ତଙ୍କ ମଧ୍ୟରେ ବେଶ୍ ଆଶା ରହିଥିଲା । ତେବେ କରୋନା କଟକଣା କାରଣରୁ ଚଳିତ ବର୍ଷ ଏଥିରୁ ବଂଚିତ ହେବାକୁ ପଡିଛି । ମହାପ୍ରଭୁଙ୍କ ଦର୍ଶନ ଉପରେ ନୂଆବର୍ଷରେ କରୋନା କଟକଣା କାରଣରୁ ଅଙ୍କୁଶ ଲାଗିଛି । ମନ୍ଦିର ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁ ପୁରୀରେ ବଡଦାଣ୍ଡରେ ପହଁଚି ପତିତପାବନ ବାନାକୁ ଦର୍ଶନ କରି ଫେରୁଛନ୍ତି । ତଥାପି ମହାପ୍ରଭୁଙ୍କ ନିକଟରେ ନୂଆବର୍ଷରେ ପ୍ରଣାମ ଜଣାଇ ସମସ୍ତେ ବର୍ଷର ଆରମ୍ଭ କରି , ବର୍ଷଟି ଭଲରେ କଟିବାକୁ ନିବେଦନ କରିଛନ୍ତି ।