କନକ ବ୍ୟୁରୋ: ଦେଶର ସର୍ବୋଚ୍ଚ ଆସନରେ ବସିବା ପରେ, ପ୍ରଥମଥର ପାଇଁ ନିଜ ଜନ୍ମ ମାଟିକୁ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗାଁ ମାଟିକୁ ମହାମହିମଙ୍କୁ ସ୍ୱାଗତ କରିବା ପାଇଁ ପହଞ୍ଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଓ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସ୍ୱତନ୍ତ୍ର ହେଲିକପ୍ଟରରେ ରାଇରଙ୍ଗପୁର ବାଦାମ ପାହାଡରେ ଦିନ ପ୍ରାୟ ୧୦ଟା ୧୫ରେ ଓହ୍ଲାଇବା ପରେ ସିଧା ଯାଇଥିଲେ ଗୋଷାଣୀ । ରାସ୍ତାରେ ଗଲାବେଳେ ରାଷ୍ଟ୍ରପତିଙ୍କ ଚେହେରାରୁ ଖୁସି ବାରି ହୋଇପଡୁଥିଲା, ଆଉ ଗାଁ ଝିଅଙ୍କୁ ଦେଶର ପ୍ରଥମ ନାଗରିକ ଭାବେ ଦେଖି ଲୋକଙ୍କ ଭିତରେ ଉତ୍ସାହ ବି ବାରି ହୋଇପଡୁଥିଲା । ଚାଲିଚାଲି ଗଲାବେଳେ ବାରିକେଡ୍ ପଛପଟେ ଥିବା ଲୋକଙ୍କୁ ଦେଖି କେତେବେଳେ ହାତ ହଲାଇ ତ ଆଉ କେତେବେଳେ ହାତଯୋଡି ଅଭିବାଦନ କରୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Advertisment

ମୟୁରଭଞ୍ଜ ମାଟିରେ ମହାମହିମଙ୍କ ପାଦ ପଡିବା ପରେ ଖୁସିରେ ଉଲ୍ଲସିତ ହୋଇପଡିଛନ୍ତି ଜିଲ୍ଲାବାସୀ । ରାଇରଙ୍ଗପୁର ପାହାଡପୁରସ୍ଥିତ ଶାଶୂଘର, ଉପରବେଡାରେ ଥିବା ବାପଘର, ମହୁଲଡିହାସ୍ଥିତ ନିଜ ଘର ଚାରିଆଡେ ଥିଲା ଉତ୍ସବର ମାହୋଲ । ନାଚଗୀତରେ ଫାଟି ପଡିଥିଲା ପୁରା ଅଞ୍ଚଳ । ସଫଳତାର ଶୀର୍ଷ ଛୁଇଁଥିବା ମାଟିର ଝିଅଙ୍କୁ ଦେଖିବା ପାଇଁ, ପାଛୋଟି ନେବା ପାଇଁ ସମସ୍ତେ ଅନାଇ ରହିଥିଲେ । ବାଦାମପାହାଡ ହେଲିପ୍ୟାଡରୁ ବାହାରି ଗାଡିରେ ପାହାଡପୁରରେ ପହଞ୍ଚିଥିଲେ ଦ୍ରୌପଦୀ ମୁର୍ମୁ । ପ୍ରଥମେ ସେଠାରେ ଥିବା ଦିବଙ୍ଗତ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏହାପରେ ରାଷ୍ଟ୍ରପତି ନାର୍ବାଡ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଏସଏଲଏସ ଟ୍ରଷ୍ଟ ସ୍କୁଲର କମ୍ୟୁନିଟି ସେଣ୍ଟରର ଶିଳାନ୍ୟାସ କରିଥିଲେ । ଏଥିସହ ଏଲ ଆଣ୍ଡ ଟି ଦ୍ୱାରା ନିର୍ମାଣ ହେବାକୁ ଥିବା ଦକ୍ଷତା କେନ୍ଦ୍ରର ଶିଳାନ୍ୟାସ କରିଥିଲେ ରାଷ୍ଟ୍ରପତି । ସେଠାରେ କିଛି ସମୟ ରହିବା ପରେ ଗାଁ ସ୍କୁଲରେ ପହଞ୍ଚିଥିଲେ ମହାମହିମ । ଅଧିକ ସମୟ ଧରି ସ୍କୁଲର ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ । ପାହାଡପୁର କାର୍ଯ୍ୟକ୍ରମ ଶେଷ ହେବା ପରେ ସାତପୌଟିଆରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ବ୍ରହ୍ମକୁମାରୀ କେନ୍ଦ୍ରରେ ନିଶାମୁକ୍ତ ଓଡିଶା ଅଭିଯାନର ଶୁଭାରମ୍ଭ କରିଥିଲେ । ତା ସହିତ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ ମହାମହିମ ।

ଯେଉଁ ଗାଁରେ ଦିନେ ପ୍ରବଚନ ଦେବାକୁ ଯାଉଥିଲେ ସେହିଠାରୁ ମହାମହିମ ରାଷ୍ଟ୍ରପତି ନିଶାମୁକ୍ତି ଓଡିଶା ଅଭିଯାନର ଶୁଭାରମ୍ଭ କରିଛନ୍ତି । ଈଶ୍ୱରୀୟ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସଭାରେ ରାଷ୍ଟ୍ରପତି ନିଶାର ଅପକାରିତା ଓ ଆଧ୍ୟାତ୍ମିକତାର ଉପକାରିତା ନେଇ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ନିଶାରୁ ଦୂରେଇ ରଖିବା ପାଇଁ କିଭଳି ଲୋକଙ୍କ ଭିତରେ ଥିବା ଚେତନାକୁ ଜାଗ୍ରତ କରିବାକୁ ପଡିବ ସେନେଇ ଆଲୋକପାତ କରିଛନ୍ତି ମହାମହିମ । ଶାରିରିକ, ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ନିଶା ଏକ ଅଭିଶାପ ବୋଲି କହିଛନ୍ତି ରାଷ୍ଟ୍ରପତି । ଯେଉଁଲୋକ ନିଶା ଖାଏ ପରବର୍ତୀ ସମୟରେ ନିଶା ସେହି ଲୋକଙ୍କୁ ଖାଏ ବୋଲି ସେ କହିଛନ୍ତି । ନିଶା ଖାଉଥିବା ବ୍ୟକ୍ତି ନିଜ ଆୟତରେ ରହିପାରେ ନାହିଁ । ତେଣୁ ନିଶାମୁକ୍ତି ଅଭିଯାନ ପାଇଁ ଇଶ୍ୱରୀୟ ବ୍ରହ୍ମକୁମାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଥିବା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।