କନକ ବ୍ୟୁରୋ : ଭାରତ ବାୟୋଟେକର କୋଭିଡ ଭ୍ୟାକ୍ସିନ୍ ମାର୍ଚ ଶେଷ ସୁଦ୍ଧା ଆସିପାରେ । ଆଜି ସମ୍ ହସ୍ପିଟାଲର ମାନବ ପରୀକ୍ଷଣ ବିଭାଗ ମୁଖ୍ୟ ଡାକ୍ତର ଡି ଭେଙ୍କଟ ରାଓ କହିଛନ୍ତି ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । ଏହି ପରୀକ୍ଷଣରେ ହଜାର ହଜାର ଲୋକ ଭାଗ ନେଇପାରିବେ । ତେବେ ସବୁଠାରୁ ବଡ କଥା ହେଉଛି ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷାରେ ଆଶାନୁରୂପ ଫଳ ମିଳିଛି ବୋଲି ଡାକ୍ତର ରାଓ କନକ ନ୍ୟୁଜକୁ କହିଛନ୍ତି । ତାଙ୍କ ଦେହରେ କୌଣସି ପ୍ରକାର ପାଶ୍ୱର୍ପ୍ରତିକ୍ରିୟା ଦେଖା ଦେଇନଥିଲା ଏବଂ ଆଶାନୁରୂପ ଭାବେ ଆଂଟିବଡି ସୃଷ୍ଟି ହୋଇଥିଲା ।
କରୋନା ସହ ଲଢେଇ କରୁଛି ସାରା ବିଶ୍ୱ । ଆଉ କରୋନାକୁ ମାତ ଦେବାକୁ ବିଶ୍ୱର ବିଭିନ୍ନ ଦେଶ ଟୀକା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ଭାରତର ଦେଶୀ କରୋନା ଭ୍ୟାକ୍ସିନ ତଥା ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଓ ଋଷର ସ୍ପୁଟନିକ ଭି ଏ ଦିଗରେ ଆଗରେ ରହିଛି । ଭାରତରେ କୋଭକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଖୁବଶୀଘ୍ର ଆରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ସମ୍ ହସପିଟାଲର ବରିଷ୍ଠ ଡାକ୍ତର ଇ. ଭେଙ୍କଟ ରାଓ ।
ସେ କୋଭାକ୍ସିନ ମାନବ ପରୀକ୍ଷଣ ପ୍ରକ୍ରିୟାର ଓଡିଶା ମୁଖ୍ୟ ଅଛନ୍ତି । ସେ କହିଛନ୍ତି, କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟୀକା ପରୀକ୍ଷଣ ସଫଳ ହୋଇଛି । ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯିବନାହିଁ ନାହିଁ । ଆଂଟିବଡି ବି ସୃଷ୍ଟି ହେଉଛି । ତେଣୁ ଆଶା କରାଯାଉଛି ତୃତୀୟ ପର୍ଯ୍ୟାୟ ବି ସଫଳ ହେବ । ଏହି ପର୍ଯ୍ୟାୟରେ ଦେଶର ୨୦ରୁ ୨୫ ହଜାର ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିବେ ।
ଯଦି ସବୁଠିକଠାକ ଚାଲେ ତାହାହେଲେ ଟୀକା ପ୍ରସ୍ତୁତ ହେବାକୁ ଆଉ ୪-୫ ମାସ ସମୟ ଲାଗିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚଳିତବର୍ଷ ଶେଷସୁଦ୍ଧା କିମ୍ବା ୨୦୨୧ ପ୍ରଥମରେ ଟୀକା ଆସିବ ବୋଲି କହିସାରିଛି । ତେଣୁ ଆଶା କରାଯାଉଛି କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେବ ।