ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ ମହଲା ବିଲ୍ଡିଂର ୧୯ ମହଲାରେ ଲାଗିଲା ନିଆଁ, ଓହ୍ଲାଇବାବେଳେ ଖସିପଡି ଯୁବକଙ୍କ ମୃତ୍ୟୁ 

117

କନକ ବ୍ୟୁରୋ: ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ୬୦ ମହଲା ବିଶିଷ୍ଟ କୋଠାରେ ୧୯ନମ୍ବର ମହଲାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଜୀବନ ବଂଚାଇବାକୁ ଯାଇ ଜଣେ ଯୁବକ ଝରକା ଫାଙ୍କ ଡେଇଁ ଖସିବାକୁ ଉଦ୍ୟମ କରିବାବେଳେ ଭାରସାମ୍ୟ ହରାଇ ଖସିପଡିଛନ୍ତି । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଦମକଳ ବାହିନି ପହଂଚି ନିଆଁକୁ ଆୟତ କରିବା ସହ ୨୬ ଜଣ ଲୋକଙ୍କୁ ଉଦ୍ଧାର କରିଛି ।

ମୁମ୍ବାଇ କରି ରୋଡରେ ଥିବା ୬୦ ମହଲା ବିଷିଷ୍ଟ ଏକ ଆପାର୍ଟମେଂଟରେ ଭୟଙ୍କର ଅଗ୍ନିକାଣ୍ଡ । ବିଲ୍ଡିଂ ର ୧୯ ମହଲାରେ ଭିଷଣ ଅଗ୍ନିକାଣ୍ଡ ଘଟିବା ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ତେବେ ନିଆଁରୁ ବଂଚିବାକୁ ଉଦ୍ୟମ କରିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି । ଦେଖନ୍ତୁ ଏହି ଭିଡିଓକୁ କେମିତି ପ୍ରାଣ ବିକଳରେ ଜଣେ ଲୋକ ନିଜକୁ ବଂଚେଇବାକୁ ଚେଷ୍ଟା କରୁଛି । ୧୯ ନମ୍ବର ମହଲାରେ ଥିବା ଏକ ସିମେଂଟ କାନ୍ଥକୁ ଧରି ଝୁଲି ରହିଛି । କିନ୍ତୁ କିଛି ସମୟ ଝୁଲିକି ରହିବାପରେ ଯୁବକ ଜଣକ ଶାରୀରିକ ସନ୍ତୁଳନ ହରାଇ ତଳେ ପଡିଯାଇଛି । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଯୁବକର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ନାଁ ଅରୁଣ ତିୱାରି ବୋଲି ଜଣାପଡିଛି ।

ଶୁକ୍ରବାର ଦିନ ୧୨ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଭିଷଣ ନିଆଁ ଲାଗିବା ଫଳରେ ବହୁ କ୍ଷୟ କ୍ଷତି ହୋଇଛି । ତେବେ ତୁରନ୍ତ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିବା ସହ ୨୬ ଜଣଙ୍କୁ ଉଦ୍ଧାର କରିଛି । ଏମାନଙ୍କ ମଧ୍ୟରୁ କିଛି ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପହଂଚି ସ୍ଥ୍ିତି ପରଖିଛନ୍ତି ମୁମ୍ବାଇ ମେୟର କିସୋରି ପେଦେନେକର । ଅନ୍ୟପଟେ ନିଆଁ କେମିତି ଓ କେଉଁ କାରଣରୁ ଲାଗିଲା ତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି ମୂଖ୍ୟ ଇକବାଲ ସିଂ ଚାହାଲ ।

ଯୁବକ ଜଣକ ବିଲ୍ଡିଂରୁ ତଳେ ପଡୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଆପାର୍ଟମେଂଟ୍ରେ ପହଁଚି ଆହତ ଓ ଉଦ୍ଧାର ଲୋକଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ।