କନକ ବ୍ୟୁରୋ : ପ୍ରଥମ ମହଲାରେ ଥିବା ଆଇସିୟୁ ରୁମରେ ଛୋଟ ଧରଣର ଶବ୍ଦ ହେଲା । ହଠାତ୍ ଏସିରୁ ଧୂଆଁ ବାହାରିବାକୁ ଲାଗିଲା । ଦେଖୁ ଦେଖୁ ରୁମ୍ ଭିତରେ ଭର୍ତି ହୋଇଗଲା ଧୂଆଁ । ଚାରିଆଡେ ଅନ୍ଧାର । ଗୁରୁତର କୋଭିଡ୍ ରୋଗୀ ଆହୁରି ଭୟଭୀତ ହୋଇପଡିଲେ । ଭାଳେଣି ପଡିଗଲା କେମିତି ଉଦ୍ଧାର ହେବେ ଆଇସିୟୁରୁ ରୋଗୀ ।
ଗୋଟିଏ ପଟେ କରୋନା ରୋଗୀ ଅନ୍ୟପଟେ ଅଗ୍ନିକାଣ୍ଡ । ଚ୍ୟାଲେଂଜ ହୋଇପଡିଥିଲା ଉଦ୍ଧାର କାର୍ଯ୍ୟ । ତରବରିଆ ଭାବେ ଆଇସିୟୁ ରୁମ୍ର ଝରକା କାଚ ଭାଂଗି ପ୍ରଥମେ ଧୂଆଁ ବାହାର କରାଗଲା । ଏହାପରେ ରୋଗୀଙ୍କୁ ବାହାର କରିବାକୁ ଆରମ୍ଭ ହେଲା ଅପରେସନ୍ । କାହାକୁ ଷ୍ଟ୍ରେଚରରେ ତ ଆଉ କାହାକୁ ହ୍ୱିଲ ଚେୟାରରେ, ତଳକୁ ଅଣିଥିଲେ ହସପିଟାଲ କର୍ମଚାରୀ । ଅପରେସନ ହୋଇଥିବା ରୋଗୀଙ୍କୁ ବେଡ୍ ସହ ଉଠାଇ ଅଣାଯାଇଥିଲା । ..
ଅଗ୍ନିିଶମ ଅଧିକାରୀ ଓ ଓଡ୍ରାଫ ଟିମ୍ ଧାଇଁ ଆସିଥିଲେ ହସପିଟାଲକୁ । ଆମ୍ବୁଲାନ୍ସ ପରେ ଆମ୍ବୁଲାନ୍ସ ବି ପହଁଚିଯାଇଥିଲା । ପବନ ବେଗରେ ଆରମ୍ଭ ହେଲା ରେସକ୍ୟୁ ଅପରେସନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଆଇସିୟୁ ବେଡ୍ରେ ଥିବା ରୋଗୀଙ୍କୁ ଅନ୍ୟ କୋଭିଡ ହସପିଟାଲର ଆଇସିୟୁରେ ପହଁଚାଇବା ।
ମିଳିଥିବା ସୂଚନା ଅନୁସାରେ ହସପିଟାଲରେ ୧୨୭ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ଆଇସିୟୁରେ ଥିଲେ ୨୪ ଜଣ ଗୁରୁତର ରୋଗୀ । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିବା ବେଳେ କିଛି ରୋଗୀଙ୍କୁ କଟକରେ ଏବଂ ଅନ୍ୟ କିଛି ରୋଗୀଙ୍କୁ ଭୁବନେଶ୍ୱରର କିମ୍ସ ଏବଂ ସମ୍ କୋଭିଡ ହସପିଟାଲରେ ଭର୍ତି କରାଯାଇଛି ।
ହସପିଟାଲରେ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା? କେଉଁଠି ସଟ୍ ସର୍କିଟ ହେଲା ? ଏବଂ କାହିଁକି ହେଲା ? ତାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ୱାଟର ସ୍ପ୍ରିଙ୍କଲର କାମ କରୁଥିଲା କି ନାହିଁ? ଏବଂ ହସପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କ ପାଇଁ କଣ ବିକଳ୍ପ ବ୍ୟବସ୍ଥା କରିଥିଲେ? ତାର ମଧ୍ୟ ଅନୁଧ୍ୟାନ କରାଯିବ ।
ବଡ କଥା ହେଉଛି, କିଛି ଦିନ ତଳେ ଅହମ୍ମଦାବାଦର ଏକ କୋଭିଡ ହସପିଟାଲରେ ବଡଧରଣର ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ୮ ଜଣ ପ୍ରାଣ ହରାଇଥିଲେ । ଏହାପରେ ରାଜ୍ୟରେ ଥିବା ସମସ୍ତ କୋଭିଡ ହସପିଟାଲରେ ଅଗ୍ନି ନିରାପତା ବ୍ୟବସ୍ଥାର ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର । ଯାଂଚ ହେଲା ଆଉ କୁହାଗଲା ଯେ, ସବୁ କିଛି ଠିକ୍ ଅଛି । ହେଲେ ଏବେ ସଦଗୁରୁ ହସପିଟାଲରେ ଘଟିଥିିବା ଅଗ୍ନିକାଣ୍ଡ ଏସବୁ ଉପରେ ପ୍ରଶ୍ନ ଠିଆ କରିଛି ।