ନବୀନ ସରକାରର ପଞ୍ଚମ ପାଳିକୁ ପୂରିଲା ୪ ବର୍ଷ । ଆରମ୍ଭ ହେଲା ହେଲା ନବୀନଙ୍କ ପଞ୍ଚମ ପାଳି ସରକାରର ପଞ୍ଚମ ବର୍ଷ । ନୂଆ ଓଡିଶାର ନମ୍ବର-୧ ନେତା ନବୀନ ପଟ୍ଟନାୟକ ।

221

କନକ ବ୍ୟୁରୋ: ମେ ୨୯, ୨୦୧୯ । ଆଜିକୁ ଠିକ୍ ୪ ବର୍ଷ ତଳେ । ସ୍ଥାନ ଥିଲା ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆର ଆଉ ସମୟ ଥିଲା ନବୀନଙ୍କ ନୂଆ ସରକାରର । ହଁ…ଏ ହେଉଛନ୍ତି ସେହି ନବୀନ । ଯିଏ ପଞ୍ଚମ ଥର ପାଇଁ ଓଡିଶାବାସୀଙ୍କ ଭରସାର ଭୋଟ୍ ଜିତିଥିଲେ । ଆଉ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ଥର ପାଇଁ ଶପଥ ନେଇଥିଲେ ।

୨୦୦୦, ୨୦୦୪, ୨୦୦୯, ଆଉ ୨୦୧୪ ପରେ, ଏ ବର୍ଷ ଥିଲା ୨୦୧୯ ମସିହାର । ଯେଉଁ ବର୍ଷରେ ବିରୋଧୀଙ୍କୁ ପୁଣିଥରେ ନିର୍ବାଚନରେ ମାତ୍ ଦେଇ, ବିଜେଡିକୁ ବହୁମତ ଦେଇଥିଲେ ଏ ଧଳାକୁର୍ତ୍ତା -ପାଇଜାମା ପିନ୍ଧା ନେତା ନବୀନ ପଟ୍ଟନାୟକ । ହଁ…ବୋଧହୁଏ ନବୀନ ଏମିତି ଜଣେ ନେତା, ଯାହାଙ୍କ ଧଳାକୁର୍ତାକୁ କେବେ କଳଙ୍କ ଛୁଇଁପାରିନି । ଯିଏ ଲୋକପ୍ରିୟତାର ସିଂହାସନରେ ବସି, କେବେ ବି ପରାଜୟ ଦେଖିନାହାଁନ୍ତି । ଖାସ୍ ସେଇଥିପାଇଁ ତ, ଓଡିଶାର ସାଢେ ୪ କୋଟି ଲୋକ ତାଙ୍କ ହାତରେ ଦୀର୍ଘ ୨୩ ବର୍ଷ ଧରି ଧରେଇ ଦେଇଛନ୍ତି ଓଡିଶାର ଶାସନ ତନ୍ତ୍ର ।ସରଳ ଜୀବନ, ନିର୍ମଳ ଭାବମୂର୍ତ୍ତି ଆଉ ଅସାଧାରଣ ବ୍ୟକ୍ତିତ୍ୱ ନବୀନଙ୍କୁ ନେତାଙ୍କ ଭିଡ ଭିତରୁ ଅଲଗା କରେ । ଆଜି ବି ନବୀନ ସେଇ ଧଳାକୁର୍ତା ଆଉ ପାଇଜାମାରେ ନଜର ଆସନ୍ତି । କାଠ ଚୌକିରେ ବସି ଶାସନ ତନ୍ତ୍ରକୁ ସମ୍ଭାଳନ୍ତି । ଅଫିସ ହେଉ କି ବାସଭବନ, ସବୁଠି ତାଙ୍କର ଥାଏ ସାଧାରଣ ଆସବାବପତ୍ର । ଦାମୀ ପୋଷାକ ପତ୍ର, ଆଭିଜାତ୍ୟପୂର୍ଣ୍ଣ ଚଳଣି ଆଉ ସୌଖୀନ ଜୀବନଯାପନରୁ ବହୁ ଦୂରରେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୧୯୯୭ ମସିହାରେ ବିଜୁ ବାବୁଙ୍କ ଦେହାନ୍ତ ପରେ । ଓଡିଶାର ରାଜନୈତିକ ଆକାଶରେ ଉଇଁଥିଲା ନବୀନ ସୂର୍ଯ୍ୟ । ଓଡିଶା ରାଜନୀତିକୁ ଦୂରରୁ କେବେ ବି ଦେଖିନଥିବା ନବୀନ । ଆସ୍କା ନିର୍ବାଚନ ମଣ୍ଡଳୀରୁ ପ୍ରଥମେ ସାଂସଦ ଭାବେ ନିର୍ବାଚନ ଜିତିଥିଲେ । ଆଉ ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ପରେ ବିଜୁ ପଟ୍ଟନାୟକଙ୍କ ନାଁରେ ଗଠିତ ନୂଆ ଆଞ୍ଚଳିକ ଦଳ ବିଜେଡିର ବସ୍ ସାଜିଥିଲେ । ୧୯୯୯ ପ୍ରଳୟଙ୍କାରୀ ମହାବାତ୍ୟାରେ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ନବୀନ ଧରିଥିଲେ ଓଡ଼ିଶା ଶାସନର ମଙ୍ଗ ।

ସେତେବେଳେ ଜଣେ ନବାଗତ ମୁଖ୍ୟମନ୍ତ୍ରୀ ପାଇଥିଲା ଓଡ଼ିଶା । କିନ୍ତୁ ନବୀନଙ୍କ ନୀତି ନିଷ୍ପତି ବଡ ବଡ ଅନୁଭବୀ ନେତାଙ୍କ ନିଦ ହଜାଇ ଦେଇଥିଲା । ଉଭୟ ସରକାର ଓ ଦଳରେ ନବୀନ ଦେଖାଇଥିଲେ ନିଜର ରାଜନୈତିକ ପରିପକ୍ୱତା । ବାସ୍ ଏହାପରଠାରୁ ଆଉ କେବେ ପଛକୁ ଫେରି ଚାହିଁନାହାନ୍ତି ନବୀନ । ନିର୍ବାଚନ ପରେ ନିର୍ବାଚନ ଆସିଛି କିନ୍ତୁ ନବୀନଙ୍କ ପ୍ରତି ଓଡ଼ିଶାବାସୀଙ୍କର ବିଶ୍ୱାସ କେବେ ବି କମ ହୋଇନାହିଁ । ପ୍ରତିଟି ନିର୍ବାଚନରେ ବିଜୟର ଶଙ୍ଖ ଫୁଙ୍କି ନବୀନ ସାଜିଛନ୍ତି ଅପରାଜେୟ ନେତା । ତେବେ ନବୀନଙ୍କୁ ଏପର୍ଯ୍ୟନ୍ତ ଅପରାଜେୟ କରିଛି ତାଙ୍କର ନିଷ୍ପତ୍ତି ଓ ଜନକଲ୍ୟାଣକାରୀ ଯୋଜନା ।ଭୋକିଲା ପେଟକୁ ଆହାର – ଚାଷୀ ଭାଇଙ୍କ ପାଇଁ କାଳିଆ – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା – ଜାଗା ମିସନ୍ – ଟଙ୍କିକିଆ ଚାଉଳ – ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ – ସହ ମିଶନ ଶକ୍ତି ଭଳି ଯୋଜନା ନବୀନଙ୍କୁ ଅଧିକରୁ ଅଧିକ ଲୋକପ୍ରିୟ କରିପାରିଛି । ଯେଉଁଥିପାଇଁ ସମୟ ବଢିବା ସହ ନବୀନଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ବଢିଚାଲିଛି । ଆଉ ନବୀନ ଲୋକପ୍ରିୟତାର ଶିଖରରେ ପହଞ୍ଚିପାରିଛନ୍ତି ।

ନୂଆ ଓଡିଶା ଗଠନ ସହ ନବୀନ ସାଜିଛନ୍ତି ନବ ଉତ୍କଳର ନିର୍ମାଣକର୍ତ୍ତା । ମନ୍ଦିର ସୌନ୍ଦର୍ଯ୍ୟକରଣ ହେଉ କି ବିଶ୍ୱସ୍ତରୀୟ ମେଡିକାଲ ଗଠନ । ନୂଆ ନୂଆ ଷ୍ଟାଡିୟମ ହେଉ କି ସରକାରୀ ସ୍କୁଲର ରୂପାନ୍ତରୀକରଣ । ନୂଆ ଓଡିଶା ଗଠନ ପାଇଁ ନବୀନ ଦିନରାତି ପରିଶ୍ରମ କରିଚାଲିଛନ୍ତି । ତାଙ୍କରି ସମୟରେ ତ, ନୂଆ ରୂପ ପାଇଛି ଶ୍ରୀମନ୍ଦିର ଐତିହ୍ୟ କରିଡର । ତାରା ତାରିଣୀ ମନ୍ଦିରର ରୂପ ବଦଳିଛି, ରେକର୍ଡ ସମୟରେ ବିର୍ସାମୁଣ୍ଡା ଷ୍ଟାଡିୟମ ନିର୍ମାଣ ହୋଇଛି ।

ରାଜନୀତିରେ କମ୍ କଥା କହୁଥିବା ନବୀନଙ୍କ କାମ ହିଁ କଥା ହୁଏ । ବୋଧହୁଏ ସେଥିପାଇଁ, ଓଡିଶାର ଲୋକ ତାଙ୍କୁ ବାରମ୍ବାର ନିଜର ନେତା ବାଛିଛନ୍ତି । ନିର୍ବାଚନ ହେଉ କି ଉପ ନିର୍ବାଚନ । ପୌର ହେଉ କି ପଞ୍ଚାୟତ । ସବୁଥିରେ ନବୀନ ଆଉ ନବୀନଙ୍କ ଦଳ ହୋଇପାରିଛି ଅପରାଜେୟ । ଆଉ ନବୀନ ବି ଦୁର୍ନୀତି ମୁକ୍ତ, ଜନକଲ୍ୟାଣକାରୀ ଶାସନ ଦେଇ ଦୀର୍ଘ ୨୩ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଚେୟାରରେ ବସି ଆସିଛନ୍ତି । ତେବେ ଆଜି ଏହି ନେତାଙ୍କ, ପଞ୍ଚମ ପାଳିର ସରକାରକୁ ପୂରିଛି ପୂରା ୪ ବର୍ଷ । ଆଜିଠୁ ଆରମ୍ଭ ହୋଇଛି ନବୀନ ସରକାରର ପଞ୍ଚମ ପାଳିର ପଞ୍ଚମ ବର୍ଷ ।

ଜନକଲ୍ୟାଣକାରୀ ଯୋଜନାର କ୍ରିୟାନୟନ୍ୱ ଓ ସୁଶାସନ ନବୀନଙ୍କ ପଞ୍ଚମ ପାଳିର ସବୁଠୁ ବଡ ଉପଲବ୍ଧି । ଏହି ଉପଲବ୍ଧି ବଳରେ ହିଁ ନବୀନ ଓଡ଼ିଶାବାସୀଙ୍କ ବିଶ୍ୱାସ ଜିଣିଛନ୍ତି । କିନ୍ତୁ ଆଗକୁ ରହିଛି ୨୦୨୪ ଚ୍ୟାଲେଞ୍ଜ, ଯାହାକୁ ପ୍ରତିହତ କରିବାକୁ ଏବେଠାରୁ କ୍ଷେତ୍ର ପ୍ରସ୍ତୁତି କରୁଛି ବିଜେଡି । ରାଜ୍ୟ ସରକାରଙ୍କ ବିକାଶମୂଳକ କାମକୁ ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଜୋର ଦେଉଛନ୍ତି ବିଜେଡି ସୁପ୍ରିମୋ । କାରଣ ସୁଶାସନ ଓ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ହିଁ ନବୀନଙ୍କ ୬ଷ୍ଠ ପାଳି ପାଇଁ ତିଆରି କରିବ ରାସ୍ତା ।