କରୋନା କାଳରେ ଫିକା ପଡିଲା ଇଦ୍-ଉଲ୍-ଜୁହାର ଉତ୍ସବ । ସାମାଜିକ ଦୂରତା ରଖି ଜାମା ମସଜିଦରେ ସମୁହ ନମାଜ ପାଠ କଲେ ମୁସଲମାନ :ସେପଟେ ବିଶ୍ୱ ପ୍ରସିଦ୍ଧ ମକ୍କା ମସଜିଦରେ କେବଳ ୧୦ହଜାର ହଜ୍ ଯାତ୍ରୀ

204

କନକ ବ୍ୟୁରୋ : କରୋନା କଟକଣା ଭିତରେ ସାରା ଦେଶରେ ପାଳନ ହେଉଛି ଇଦ-ଉଲ-ଜୁହା ବା ବକ୍ରିଇଦ୍ । ଦିଲ୍ଲୀସ୍ଥିତ ଜାମା ମସଜିଦରେ ଆଜି ସକାଳୁ ନମାଜ ପାଠ କରିଛନ୍ତି ମୁସଲମାନ ସଂପ୍ରଦାୟ । ସକାଳ ୬ଟା ବାଜି ୫ ମିନିଟରେ ସମୁହ ନମାଜ ପାଠ କରାଯାଇଛି । ତେବେ କରୋନା କାଳରେ କିଭଳି ସାମାଜିକ ଦୂରତା ରକ୍ଷା କରିହେବ ସେଥିପାଇଁ ବାରମ୍ବାର ସଚେତନ କରିଛନ୍ତି ଜାମା ମସଜିଦ କର୍ତୃପକ୍ଷ । ସେଠାରେ ମୁତୟନ ପୋଲିସ କର୍ମୀ ପ୍ରତ୍ୟେକଙ୍କ ଥର୍ମାଲ ସ୍କ୍ରିନିଂ କରିବା ପରେ ହିଁ ନମାଜ ପାଠ ପାଇଁ ଭିତରକୁ ଛାଡିଥିଲେ ।

ତଥାପି ନମାଜ ପାଠବେଳେ ସାମାଜିକ ଦୂରତା ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି । ତଥାପି ଅଧିକାଂଶ, ସରକାରୀ କଟକଣାକୁ ସମ୍ମାନ ଜଣାଇ କରୋନା ସଂକ୍ରମଣର ସମ୍ଭାବନାକୁ ଏଡାଇବା ପାଇଁ ନମାଜ ପାଠବେଳେ ପରସ୍ପରଠାରୁ ଦୂରତା ରକ୍ଷା କରିଥିବା ଦେଖାଯାଇଛି । ମୁସଲମାନଙ୍କ ସବୁଠାରୁ ବଡପର୍ବ ଇଦ-ଉଲ-ଫିତର ପରେ ଇଦ-ଉଲ-ଜୁହା ବା ବକ୍ରିଇଦ ଦ୍ୱିତୀୟ ବଡପର୍ବ । କରୋନା କାଳରେ ଏହିପର୍ବ ଫିକା ପଡିଯାଇଛି ।

ସେପଟେ ସାଉଦି ଆରବର ପ୍ରସିଦ୍ଧ ମକ୍କା ମସଜିଦକୁ ଚଳିତବର୍ଷ କେବଳ ୧୦ ହଜାର ଯାତ୍ରୀ ହଜ୍ ଯାତ୍ରା କରୁଛନ୍ତି । କରୋନା ଭୂତାଣୁର ସଂକ୍ରମଣ ଭୟରେ ଏଭଳି କଟକଣା ଯୁକ୍ତ ହଜ ଯାତ୍ରାର ଆୟୋଜନ କରାଯାଇଛି । କେବଳ ସାଉଦିରେ ଥିବା ବିଦେଶୀଙ୍କୁ ହିଁ ଏଥିପାଇଁ ଅନୁମତି ଦିଆଯାଇଥିଲ।। ଗତ ୨୮ ଜୁଲାଇରୁ ଏଥର ହଜ ଯାତ୍ରା ଆରମ୍ଭ ହୋଇଛି ।

ଯାହା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ । ଗତବର୍ଷ ପ୍ରାୟ ୨୫ ଲକ୍ଷ ମୁସଲମାନ ହଜ ଯାତ୍ରାରେ ସାମିଲ ହୋଇଥିବାବେଳେ ଏଥର କିନ୍ତୁ ମାତ୍ର ୧୦ ହଜାର ଯାତ୍ରୀଙ୍କୁ ଅନୁମତି ମିଳିଛି । କରୋନା ପରୀକ୍ଷା ପରେ ହିଁ ଏମାନଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯାଇଛି । ଏମାନଙ୍କ ଭିତରୁ ୭୦ ପ୍ରତିଶତ ସାଉଦିରେ ରହୁଥିବା ବିଦେଶୀ ଏବଂ ବାକି ୩୦ ପ୍ରତିଶତ ଏହାଠାର ନାଗରିକ ବୋଲି ଜଣାପଡିଛି । ହଜ ସମୟରେ ସାମାଜିକ ଦୂରତ୍ୱକୁ ଖାସ ଗୁରୁତ୍ୱ ଦିଆଯାଇଛି ।