ଅକ୍ଟୋବର ୧୫ରୁ ସ୍କୁଲ ଖୋଲିବାକୁ ଅନୁମତି ଦେଲେ କେନ୍ଦ୍ର ସରକାର : ସ୍କୁଲ ଓ ପରିଚାଳନା କମିଟି ସହ ଆଲୋଚନା କରି ନିଷ୍ପତି ନେଇ ପାରିବ ରାଜ୍ୟ; ୫୦ ପ୍ରତିଶତ କ୍ଷମତାରେ ସିନେମା ହଲ୍ ଖୋଲିବାକୁ ଅନୁମତି

636

କନକ ବ୍ୟୁରୋ : ଅନଲକ୍-୫ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅନଲକ୍-୫ ଗାଇଡଲାଇନରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ କେବଳ କଂଟେନ୍ମେଂଟ ଜୋନ୍ ବା ଅବରୋଧ ଅଂଚଳ ମଧ୍ୟରେ ସୀମିତ ରହିବ ଲକଡାଉନ । ଅଳ୍ପ କିଛି କଟକଣା ରଖି ଅବରୋଧ ଅଂଚଳରେ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ସ୍କୁଲ ଓ କୋଚିଂ ସେଂଟର ଖୋଲିବା ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି କେନ୍ଦ୍ର ସରକାର । ଅକ୍ଟୋବର ୧୫ ପରେ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି କହିଛନ୍ତି କେନ୍ଦ୍ର ସରକାର । ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଓ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସହ ଆଲୋଚନା କରି ରାଜ୍ୟ ସରକାର ଏନେଇ ନିଷ୍ପତି ନେବେ ।

ତେବେ ଅନଲାଇନ ପାଠପଢ଼ା ଜାରି ରଖିବାକୁ ପ୍ରୋତ୍ସାହିତ କରାଯିବ । ସ୍କୁଲ ନଆସି ଯେଉଁ ଛାତ୍ରଛାତ୍ରୀ ଅନଲାିନରେ ପାଠ ପଢ଼ିବାକୁ ଚାହିଁବେ, ସେମାନଙ୍କୁ ଅନୁମତି ଦିଆଯିବ । ତେବେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବା ପାଇଁ ବାପାମାଆଙ୍କ ଲିଖିତ ସମ୍ମତି ଆବଶ୍ୟକ ବୋଲି କୁହାଯାଇଛି । ଆଟେଂଡାନ୍ସକୁ ବାଧ୍ୟମୂଳକ କରାଯିବ ନାହିଁ । ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଏସଓପି ବା ନିୟମାବଳୀ ଜାରି କରିପାରିବେ । କେନ୍ଦ୍ର ଗୃହମନ୍ତ୍ରାଳୟ ସହ ଆଲୋଚନା କରି ଉଚ୍ଚଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରାଳୟ, କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ପାଇଁ ନିଷ୍ପତି ନେଇପାରିବେ । ତେବେ ପିଏଚଡି ଓ ସ୍ନାତକୋତର ଶିକ୍ଷା ଯେଉଁଥିରେ ଲାବୋରେଟୋରୀ କାର୍ଯ୍ୟ ଥିବ, ସେଗୁଡିକ ଅକ୍ଟୋବର ୧୫ରୁ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ସରକାର । ସେହିପରି ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ, ଘରୋଇ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବା ସ୍କଲାରଙ୍କ ପାଇଁ ପାଠପଢ଼ା ନେଇ ନିଷ୍ପତି ନେବେ ରାଜ୍ୟ ସରକାର ।

ସେହିପରି ଅକ୍ଟୋବର ୧୫ ତାରିଖରୁ କ୍ରୀଡ଼ାବିତମାନଙ୍କ ବ୍ୟବହାର ପାଇଁ ସୁଇମିଂ ପୁଲ ଖୋଲିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ଏନେଇ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଡୁଅର ବା ନିୟମାବଳୀ ଜାରି କରିବେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ । ଅକ୍ଟୋବର ୧୫ ତାରିଖରୁ ସିନେମା ହଲ, ଥିଏଟର, ମଲ୍ଟିପେକ୍ସ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ବସିବା କ୍ଷମତାର ୫୦ ପ୍ରତିଶତକୁ ଅନୁମତି ମିଳିବ । ଏନେଇ ନିୟମାବଳୀ ଜାରି କରିବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ମନୋରଂଜନ ପାର୍କ ଏବଂ ସେହିଭଳି ସ୍ଥାନଗୁଡିକ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । ଅକ୍ଟୋବର ୧୫ ତାରିଖରୁ ଏଗୁଡିକ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସଓପି ଜାରି କରିବେ । ସେହି ଅକ୍ଟୋବର ୧୫ରୁ ବ୍ୟବସାୟ ସମ୍ପର୍କୀୟ ପ୍ରଦର୍ଶନୀ ପାଇଁ ମଧ୍ୟ ଅନୂୁମତି ଦିଆଯାଇଛି । ବାଣିଜ୍ୟ ବିଭାଗ ଏନେଇ ନିୟମାବଳୀ ଜାରି କରିବେ ।