ବଢ଼ୁଛି କରୋନାର ଦ୍ୱିତୀୟ ଲହର ଭୟ । ଦେଶରେ କରୋନା ମିଟର ଉପରମୁହାଁ, ୨୪ ଘଂଟାରେ ୨୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ 

691
କନକ ବ୍ୟୁରୋ: ପୁଣିଥରେ କରୋନା ସଂକ୍ରମଣ ଦିନକୁ ଦିନ ଯେପରି କାୟା ମେଲାଉଛି, ଦ୍ୱିତୀୟ ଲହରର ଭୟ ସେତିକି ବଢ଼ିବାରେ ଲାଗିଛି । ଦିନକରେ ଦେଶରେ ୨୫ ହଜାର ୩୨୦ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ମାର୍ଚ୍ଚ ୧୩ରେ ୨୪ ହଜାର ୮୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ମାର୍ଚ୍ଚ ୧୨ରେ ଏହି ସଂଖ୍ୟା ଥିଲା ୨୩ ହଜାର ୨୮୫ । ଗତ ୨୪ ଘଂଟା ଭିତରେ ଯେତିକି ମାମଲା ଆସିଛି, ତାହା ୮୪ ଦିନ ମଧ୍ୟରେ ସର୍ବାଧିକ । ଗତବର୍ଷ ଡିସେମ୍ବର ୨୦ ତାରିଖ ପରେ ଏହା ହେଉଛି ସବୁଠୁ ଅଧିକ ଦୈନିକ ସଂକ୍ରମଣ ।
ଭାରତର କରୋନା ମିଟର
୧୪ ମାର୍ଚ୍ଚ – ୨୫,୩୨୦
୧୩ ମାର୍ଚ୍ଚ – ୨୪,୮୮୨
୧୨ ମାର୍ଚ୍ଚ – ୨୩,୨୮୫
୨୦ ଡିସେମ୍ବର – ୨୬,୬୨୪
ପୁଣି ଥରେ ସାରା ବିଶ୍ୱରେ କରୋନା ସ୍ଥିତି ଉଦ୍ବେଗଜନକ ହେବାରେ ଲାଗିଛି । କିଛି ଦିନ ହେଲା କୋଭିଡ ସଂକ୍ରମଣ କମିବା ପରେ ଏବେ ଅନେକ ଦେଶରେ ସଂକ୍ରମଣ ବଢିବାରେ ଲାଗିଛି । କରୋନା ସଂକ୍ରମଣରେ ପୁଣି ଥରେ ଭାରତକୁ ଟପିଛି ବ୍ରାଜିଲ ।
ନଜର ପକାନ୍ତୁ ବ୍ରାଜିଲର କରୋନା ମିଟର ଉପରେ
୨୪ ଘଂଟାରେ ୮୫,୬୬୩ ନୂଆ ପଜିଟିଭ୍ 
ମୋଟ ଆକ୍ରାନ୍ତ – ୧କୋଟି ୧୪ଲକ୍ଷରୁ ଅଧିକ
ସକ୍ରିୟ ଆକ୍ରାନ୍ତ – ୧୦ ଲକ୍ଷ ୭୯ ହଜାର
ମୃତ୍ୟୁ – ୨ ଲକ୍ଷ ୨୭ ହଜାର
କରୋନା ସଂକ୍ରମଣରେ ଭାରତକୁ ପଛରେ ପକାଇ ବିଶ୍ୱରେ ଦ୍ୱିତୀୟ ଦେଶ ବନିଯାଇଛି ବ୍ରାଜିଲ । ସ୍ଥିତି ସଙ୍ଗୀନ ହୋଇଥିବାରୁ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବା ପାଇଁ ବ୍ରାଜିଲକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସେପଟେ କରୋନା ସଂକ୍ରମଣରେ ବିଶ୍ୱରେ ୧ ନମ୍ବର ସ୍ଥାନରେ ରହିଥିବା ଆମେରିକାରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଏବେ ଦିନକୁ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଟିକାକରଣ ହେଉଛି । ୬ କୋଟିରୁ ଅଧିକ ଲୋକ ଟିକା ନେଇସାରିଲେଣି । ତଥାପି ଆମେରିକାରେ କରୋନା ସଂକ୍ରମଣ ଓ ମୃତ୍ୟୁ ଚିନ୍ତାର ବିଷୟ ହୋଇ ରହିଛି ।