କନକ ବ୍ୟୁରୋ: ଅନ୍ଧ ବିଶ୍ୱାସର କରୁଣ ପରିଣତି । ସାହି ପଡ଼ିଶାର ବାସନ୍ଦ ଧମକକୁ ଡ଼ରି ନିଷ୍ଠୁର ହେଲେ ବାପା । ଯେଉଁ ଝିଅକୁ କୋଳେଇ କାଖେଇ ବଡ଼ କରିଥିଲେ ତାର ମୃତ ଦେହକୁ ଜଙ୍ଗଲ ଭିତରେ ଫିଙ୍ଗିଦେଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳରେ । ମୃତଦେହ ଫିଙ୍ଗିବାର ପ୍ରାୟ ୨୪ ଘଣ୍ଟା ପରେ ସ୍ୱଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ମୃତଦେହ ଉଦ୍ଧାର କରି ଶବ ସତ୍କାର କରିଥିବା ଜଣାପଡ଼ିଛି ।

Advertisment

ସୁବର୍ଣ୍ଣପୁର ଜିଲ୍ଲା ତରଭା ଅନ୍ତର୍ଗତ ବଡ଼ଜୋର ଗାଁର ରାଜେନ୍ଦ୍ର ଦୁଆରିଆଙ୍କ ଝିଅ ସଂଯୁକ୍ତା । ବୟସ ପ୍ରାୟ ୨୯ ହେବ । ତାଙ୍କ ପାଟି ଆଉ ଦେହରେ ଘା’ ହୋଇଯାଇଥିଲା । ପରିବାର ଲୋକେ ତାଙ୍କୁ ତରଭା ହସ୍ପିଟାଲରେ ଭର୍ତି କରିଥିଲେ । ସେଠାରେ ଚିକିତ୍ସା ପରେ ମଧ୍ୟ ତାଙ୍କ ରୋଗ ଭଲ ହୋଇନଥିଲା । ବରଂ ଘା’ ଧୀରେ ଧୀରେ ବଢ଼ିଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ସଞ୍ଜୁକ୍ତାଙ୍କୁ ବଲାଙ୍ଗିରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସା ପରେ ମଧ୍ୟ ତାଙ୍କ ରୋଗ ଭଲ ହୋଇନଥିଲା । ତାପରେ ଝିଅକୁ ଧରି ଘରକୁ ପଳାଇ ଆସିଥିଲେ ବାପା ରାଜେନ୍ଦ୍ର ।

ଝିଅକୁ ଭଲ କରିବା ପାଇଁ ଗୁଣି ଗାରେଡ଼ିର ସହାୟତା ନେଇଥିଲେ । ତଥାପି ଝିଅର ରୋଗ ଭଲ ହୋଇନଥିଲା । ସଂଯୁକ୍ତଙ୍କ ଯନ୍ତ୍ରଣା ଦେଖି ତାଙ୍କୁ କଟକ ବଡ଼ ମେଡିକାଲ ଆଣିବେ ବୋଲି ବାପା ବ୍ୟବସ୍ଥା କରୁଥିଲେ । ତା ପୂର୍ବରୁ ଆଖି ବୁଜିଦେଲେ ସଂଯୁକ୍ତା । ହାଡ଼ଫୁଟି ରୋଗରେ ସଂଯୁକ୍ତାଙ୍କ ମୃତ୍ୟୁ ହୋଇଥିବା ଗାଁରେ ପ୍ରଚାର ହୋଇଗଲା । ମୃତ ଦେହ ସତ୍କାର କରିବାକୁ ସାହି ପଡ଼ିଶା କେହି ଆସିଲେନି । ଓଲଟି ବାସନ୍ଦ କରିବା ପାଇଁ ଧମକ ଦେଲେ । ଝିଅର ମୃତଦେହକୁ ବାହାରେ ଫିଙ୍ଗିଦେବାକୁ ମଧ୍ୟ ଗାଁଲୋକ ରାଜେନ୍ଦ୍ରଙ୍କୁ କହିଥିଲେ । ବାଧ୍ୟହୋଇ କିଛି ଉପାୟ ନପାଇ ମୃତ ସଂଯୁକ୍ତାଙ୍କ ମୃତଦେହକୁ ଦୁଇ ପୁତୁରାଙ୍କ ସହ ମିିଶି ଏକ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିରର କିଛି ସ୍ୱଚ୍ଛାସେବୀ ମୃତଦେହକୁ ଉଦ୍ଧାର କରିଥିଲେ । ପୋଲିସ ଓ ପ୍ରଶାସନର ଅନୁମତିରେ ସଂଧ୍ୟା ବେଳେ ମୃତଦେହକୁ ବଲାଙ୍ଗିର ବିଭୂତିପଡ଼ା ଶ୍ମଶାନରେ ସତ୍କାର କରିଥିଲେ । ତେବେ ହାଡ଼ଫୁଟି ରୋଗର ନିରାକରଣ ହେଲାଣି । ତାର ଔଷଧ ମଧ୍ୟ ବାହାରିଲାଣି । କିନ୍ତୁ ଆଜି ବି ଗାଁମାନଙ୍କରୁ ଯାଇନି ଅନ୍ଧ ବିଶ୍ୱାସ । ଲୋକଙ୍କୁ ସଚେତନ କରିବାର ଫେଲ ମାରିଛନ୍ତି ଜିଲ୍ଲା ପ୍ରଶାସନ ଓ ସରକାର ।