ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ପିତା : ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଥିବା ବେଳେ ସୁଶାନ୍ତଙ୍କ ବାପା ନୀତିଶଙ୍କୁ ଭେଟିବା ବିହାର ରାଜନୀତିକୁ ସରଗରମ କରିଛି 

258

କନକ ବ୍ୟୁରୋ : ବିହାର ନିର୍ବାଚନ ପାଇଁ ରାଜ୍ୟର ରାଜନୀତି ସରଗରମ ଥିବା ବେଳେ ପାଟନାରୁ ଏକ ବଡ ଖବର ଆସିଛି । ଯେଉଁ ଖବର ପ୍ରଚାରିତ ହେବା ପରେ ଏବେ ବିହାର ରାଜନୀତିରେ ଜଣେ ନୂଆ ଚେହେରା ଦେଖାଦେବା ନେଇ ଆଲୋଚନା ଜୋର ଧରିଛି ।ଆଜି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା, ଭଉଣୀ ଓ ଭିଣୋଇ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଥିବା ଜଣାପଡିଛି । ନିର୍ବାଚନ ପରିପେକ୍ଷୀ ସୁଶାନ୍ତଙ୍କ ପରିଜନ ନୀତିଶଙ୍କୁ ଭେଟିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ହେଲେ ସୁଶାନ୍ତଙ୍କ ପରିବାର ପକ୍ଷରୁ ମିଳିଥିବା ଅଣଆଧାରିତ ସୂତ୍ର କହିଛି କି ଏହା କେବଳ ଏକ ସାଧାରଣ ଭେଟ୍ ଘାଟ୍ ।

ସୂଚନା ଥାଉକି ବିହାର ବିଧାନସଭା ନିର୍ବାଚନ ଅକ୍ଟୋବର ମାସ ଶେଷ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ ବିହାରରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆରମ୍ଭରୁ ବିଜେପି ଏକ ମୁଦ୍ଦା କରିଛି । ଏନେଇ କିଛିଦିନ ତଳେ ବିଜେପି ପକ୍ଷରୁ ଏକ ପୋଷ୍ଟର ଦେଖିବାକୁ ମିଳିଥିଲା । ଯେଉଁଥିରେ ଲେଖାଯାଇଥିଲା କି ‘ନା ଭୁଲିଛୁ ନା ଭୁଲିବାକୁ ଦେବୁ’ । ବିହାରର ଏହି ବିଶିଷ୍ଠ ଅଭିନେତାଙ୍କର ମୁମ୍ବାଇ ବାସଭବନରେ ମୃତ୍ୟୁ ହୋଇଥିଲା । ଯେଉଁ ମାମଲାର ତଦନ୍ତ ଏବେ ସିବିଆଇ କରୁଛି । ଏହାସହ ତାଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଥିବା ଅନୁମାନ କରି ଏନସିବି ଏବେ ବଲିଉଡର ବହୁ ନାମି ଦାମି କଳାକାରଙ୍କୁ ନୋଟିସ କରି ପଚରା ଉଚରା ଜାରି ରଖିଛି ।

କହିରଖୁ କି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ପ୍ରଥମେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦାବି କରିଥିଲେ । ଏହା ପରେ ସୁଶାନ୍ତଙ୍କ ପରିବାର ପକ୍ଷରୁ ପାଟନାର ରାଜୀବ ନଗର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ବିହାର ପୋଲିସର ଏକ ଟିମ୍ ମାମଲାର ଯାଂଚ ପାଇଁ ମହାରାଷ୍ଟ୍ରରେ ପହଂଚିଥିଲା । ଯାହାକୁ ନେଇ ବିହାର ବନାମ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । ଏହି ମାମଲାରେ ବିହାର ପୋଲିସ ର ପୂର୍ବ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଆକ୍ସନମୋଡକୁ ଆସିଯାଇଥିଲେ । ଏହା ପରେ ସେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇ ନୀତିଶଙ୍କ ଜେଡିୟୁରେ ମିଶିଥିଲେ । ତେଣୁ ସୁଶାନ୍ତଙ୍କ ପରିଜନ ନିତିଶଙ୍କୁ ଭେଟିବା ପରେ ବିହାର ରାଜନୀତିରେ ଆଉ ଜଣେ ନୂଆ ମୁହଁ ବିହାରବାସୀ ଦେଖିବାକୁ ପାଇବେ ବୋଲି ଅନୂୁମାନ କରାଯାଉଛି ।