ଖୋର୍ଦ୍ଧା ନାଚୁଣୀରୁ ସୁଟକେଶ ଭିତରୁ ମୃତଦେହ ମିଳିବା ଘଟଣା । ଟଙ୍କା ପାଇଁ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ବାପା ।

110

କନକ ବ୍ୟୁରୋ: ଖୋର୍ଦ୍ଧା ନାଚୁଣୀରେ ଚାଞ୍ଚଲ୍ୟକର ଓ ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ମୃତ ମନୋରଞ୍ଜନଙ୍କ ବାପା ଗଙ୍ଗାଧର ମହାପାତ୍ର ଆଣିଛନ୍ତି ସାଂଘାତିକ ଅଭିଯୋଗ । ଅର୍ଥଲୋଭ ଓ ପରକୀୟା ପ୍ରୀତି ପାଇଁ ବୋହୂ ନିଲି ଦାସ ତାଙ୍କ ପୁଅକୁ ହତ୍ୟା କରିଥିବା ସେ ନାଚୁଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି ତାଙ୍କ ପୁଅ କିଛି ଦିନ ତଳେ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ । ଏକ କାର କିଣି ବ୍ୟବସାୟ କରିବା ପାଇଁ ଯୋଜନା କରିଥିଲେ ମନୋରଞ୍ଜନ । ଏହି ୧୦ ଲକ୍ଷ ଟଙ୍କା ହଡ଼ପ କରିବା ପାଇଁ ବୋହୂ ନିଲି ଓ ତା ପୁରୁଷ ବନ୍ଧୁ ବିକ୍ରମ ସାହୁ ମିଶି ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । ସେ କୋର୍ଟର ଆଶ୍ରୟ ନେବେ ଓ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢିବେ ବୋଲି କହିଛନ୍ତି । ବୋହୂ ନିଲି ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ନିୟମିତ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନାଚୁଣୀର ଦାରୁ ଗାଁ ନିକଟ ଜଙ୍ଗଲରେ ରବିବାର ଦିନ ଏକ ସୁଟକେଶରୁ ଜଣେ ଯୁବକଙ୍କ ମୃତ ଦେହ ମିଳିଥିଲା । ପରେ ଏହି ମୃତଦେହ ମନୋରଞ୍ଜନ ମହାପାତ୍ରଙ୍କ ବୋଲି ଜଣାପଡିଥିଲା । ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସ୍ତ୍ରୀ ହିଁ ଷଡଯନ୍ତ୍ର ରଚିଥିଲେ । ଚାନ୍ଦପୁର ବଜାରରୁ ସେ ଏକ ସୁଟ୍କେସ୍ କିଣିଥିଲେ । ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ସବୁ ନଜର କେନ୍ଦ୍ରଭୂତ କରିଥିଲା ଟ୍ରଲି ବ୍ୟାଗ୍ ଉପରେ । ଏହା ଏକ ବଡ଼ ଆକାରର ହୋଇଥିବାରୁ ଆଖପାଖ ସବୁ ବଡ଼ ବଡ଼ ଦୋକାନରେ ଏଭଳି ବ୍ୟାଗ୍ କେହି କିଣିଥିଲେ କି ତାହାର ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଏହି ଘଟଣାରେ ପୋଲିସ ପ୍ରଥମେ ନିଲିର ବୟଫ୍ରେଣ୍ଡ ବିକ୍ରମକୁ ଉଠାଇ ନେଇଥିଲା । ତାକୁ ଜେରା ପରେ ଅନ୍ୟମାନଙ୍କୁ କବଜାକୁ ନେଇଥିଲା ପୋଲିସ । ଘଟଣାରେ ଗିରଫ ହୋଇଥିବା ବୋହୂ ନିଲି ଦାସ ପୋଲିସ ନିକଟରେ ଘଟଣା ନେଇ ସ୍ୱୀକାର କରିଥିଲା । ନିର୍ଯାତନା ଅସହ୍ୟ ହେବାରୁ ସମ୍ପର୍କୀୟ ଭାଇ ଓ ସାଙ୍ଗ ସହାୟତାରେ ସ୍ୱାମୀକୁ ହତ୍ୟା କରିଥିଲା । ସୁଟକେଶରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ପୋଲିସ ଆଗରେ କହିଥିଲା । ଅଭିନବ ଉପାୟରେ ମୃତଦେହ ଫିଙ୍ଗିବା ପାଇଁ ଅଭିଯୁକ୍ତମାନେ ଟ୍ରଲି ବ୍ୟାଗର ସହାୟତା ନେଇଥିଲେ । ମନୋରଞ୍ଜନଙ୍କୁ ନିଲି ପ୍ରେମ ବିବାହ କରିଥିଲେ । ସ୍ଥାନୀୟ ଲୋକଙ୍କ ସହ ମନୋରଞ୍ଜଙ୍କର ଅପଡ ହେବାରୁ ସେ ପରିବାର ସହ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଅଞ୍ଚଳରେ ରହୁଥିଲେ ।