ମାଆକୁ ମାରିଦେଲା ବାପା, ସାକ୍ଷୀ ରହିଲା କୁନି ଝିଅ: କହିଲା, ହତ୍ୟାକାଣ୍ଡର ପୂରା କାହାଣୀ

352

କନକ ବ୍ୟୁରୋ: ଅନେକ ସମୟରେ ହତ୍ୟାକାଣ୍ଡର ସାକ୍ଷୀ ରହିଥାଏ ସିସିଟିଭି । ସିସିଟିଭି ଫୁଟେଜକୁ ଆଧାର କରି ହତ୍ୟାକାଣ୍ଡ ରହସ୍ୟର ଗୁମର ଖୋଲିଥାଏ ତଦନ୍ତକାରୀ ସଂସ୍ଥା । ହେଲେ ନବରଂଗପୁରରୁ ଆସିଛି ଏମିତି ଏକ ଖବର ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ । ମା ହତ୍ୟାକାଣ୍ଡର ସାକ୍ଷୀ ରହିଛି କୁନି । ଆଉ କୁନି କୁନି କଂଠରେ କହିଛି କେମିତି ତା ମାଆକୁ ନୃଶଂସ ଭାବେ ତଂଟିଚିପି ମାରି ଦେଇଛି ବାପା ।

ଆନ୍ଧ୍ର ପୁଲିସ ଆଗରେ ଏହି କୁନି ଝିଅ ଦେଇଥିବା ବୟାନ ଯେତିକି କଷ୍ଟଦାୟକ ସେତିକି ହୃଦୟବିଦାରକ । ନିଜ ବାପା ତା ମାଆଙ୍କୁ କେମିତି ତଂଟି ଚିପି ହତ୍ୟା କରିଛନ୍ତି ସେ କଥା ବୟାନ କରୁଛି ଏହି ଅଢେଇ ବର୍ଷର କୋମଳମତି ଝିଅ । ଆଉ କୁନି ଝିଅର ବୟାନ ପରେ ପତ୍ନୀ ହତ୍ୟାକାରୀ ମାଣିକକୁ ଗିରଫ କରିଛି ଆନ୍ଧ୍ର୍ ପୁଲିସ । ଏବେ ମଧ୍ୟ କୁନି ଝିଅକୁ ପଚାରିଲେ ସେଦିନର ଘଟଣାକୁ ବୟାନ କରୁଛି ।

ସବୁଠାରୁ ବଡ କଥା ହେଲା, ପାରିବାରିକ ବିବାଦର ସମାଧାନ ପରେ ବି ଏଭଳ ିଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୭ ବର୍ଷ ତଳେ ନବରଙ୍ଗପୁର ଉମରକୋଟ ବ୍ଲକ୍ର ବଙ୍ଗୀୟ କାରାଗାଁର ଲିପିକା ମଣ୍ଡଳ ସିଲାଟି ଗାଁର ମାଣିକ ଘୋଷଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କ ଭିତରେ ପାରିବାରିକ ବିବାଦ ଲାଗି ରହିଥିଲା । ଗାଁରେ ମିଟିଂ ବସି ଏସବୁ ସମାଧାନ ବି ହୋଇଥିଲା । ପରେ ଦମ୍ପତି କାମ କରିବାକୁ କାକିନାଡ଼ା ଯାଇଥିଲେ । କାକିନାଡାରେ ଲିପିକାଙ୍କୁ ତଂଟି ଚିପି ହତ୍ୟା କରିଥିଲା ମାଣିକ । ପରେ ତାଙ୍କର ଜଣେ ବନ୍ଧୁଙ୍କୁ ସ୍ତ୍ରୀର ଦେହ ଖରାପ ଅଛି ହସ୍ପିଟାଲ ନେବାକୁ କହିଥିଲେ । ବନ୍ଧୁ ସେଠାରେ ପହଂଚି ଦେଖିଥିଲେ ଲିପିକାଙ୍କ ତଂଟିରେ ଚିହ୍ନ ରହିଥିଲା । ଏହାପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ନିଜ ଆଡ଼ୁ ମାମଲା ରୁଜୁ କରି ଅଭିଯୁକ୍ତ ମାଣିକଙ୍କୁ ଗିରଫ କରିଛି ।

ପରିବାର ଲୋକ କହୁଛନ୍ତି ଲିପିକାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଆଉ ପୁଲିସ ସମ୍ମୁଖରେ ମୋ ମାଆର ହତ୍ୟାକାରୀ ମୋ ବାପା ବୋଲି କୁନି ଝିଅର ବୟାନ ପୁଲିସକୁ ବି ଆଶ୍ଚର୍ଯ୍ୟ କରିଦେଇଛି ।