କନକ ବ୍ୟୁରୋ: ବୟସ ବଢିଲାଣି । ରାଜନୀତିରେ ଆଉ ସକ୍ରିୟ ରହିବା ସମ୍ଭବ ନୁହେଁ । ତେଣୁ ନିଜ ସ୍ଥାନରେ ପୁଅକୁ ଦେଖିବାକୁ ଚାହୁଁଛନ୍ତି ବାପା । ୨୦୨୪ ନିର୍ବାଚନରେ ପୁଅ ପାଇଁ ଟିକେଟ୍ ଲବି କରୁଛନ୍ତି । ଆଜି ନବୀନ ନିବାସରେ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ଦେଖିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ସେପଟେ ବାକି ଥିବା ୩୦ଟି ଆସନରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ଆଶାୟୀଙ୍କ ଭିତରେ ଛନକା ପଶିଛି । ଯିଏ ଯେଝା ବାଟରେ ଶେଷ ମୁହୁର୍ତରେ କରୁଛନ୍ତି ଟିକେଟ୍ ଲବି ।

ଭୋଗରାଇରୁ ଆସିଛନ୍ତି ୪-୪ ଥରର ବିଧାୟକ ଅନନ୍ତ ଦାସ । ଅସୁସ୍ଥତା କାରଣରୁ ଚଳିତଥର ନିର୍ବାଚନ ଲଢିବାକୁ ସେ ଚାହୁଁନାହାନ୍ତି । ହେଲେ ନିଜ ବଦଳରେ ନିଜ ଉତରାଧିକାରୀ ତଥା ପୁୁଅ ଅଭିଜିତ ଦାସଙ୍କୁ ଟିକେଟ ଦେବା ପାଇଁ ନବୀନ ନିବାସରେ ଲବି କରିଛନ୍ତି ଅନନ୍ତ । ବାପାଙ୍କ ହାତ ଧରି ନବୀନ ନିବାସ ଭିତରକୁ ଯାଉଛନ୍ତି ଅଭିଜିତ । ଭୋଗରାଇର ଅନେକ ସମର୍ଥକଙ୍କୁ ନେଇ ନବୀନ ନିବାସ ଆସିଥିଲେ ବାପା-ପୁଅ । ପୁଅଙ୍କୁ ଟିକେଟ ଦେବାକୁ କହିଥିଲେ ଅନନ୍ତ । ଭୋଗରାଇରେ ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେଡି ।

ଜୟପୁର ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ ହେବ । ହେଲେ ଏଠାକାର ଅଙ୍କ ଛିଡୁନି । ପୁଣି ଶଙ୍ଖଭବନ ଆସିଛନ୍ତି ପୂର୍ବତନ ମନ୍ତ୍ରୀ ରବି ନନ୍ଦ । ୨୦୧୪ ଓ ୨୦୧୯ରେ ରବି ନନ୍ଦଙ୍କୁ ହରାଇଥିଲେ ତାରାପ୍ରସାଦ ବାହିନୀପତି । ତାରା ଏଥର ପ୍ରାର୍ଥୀ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ଘୋଷଣା କରିନି । ରବି ନନ୍ଦଙ୍କ ସହ କୋରାପୁଟ ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀଙ୍କୁ ବି ଆଜି ଶଙ୍ଖଭବନରେ ଝଳ ମିଶ୍ରଣ ପର୍ବରେ ଦେଖିବାକୁ ମିଳିିଥିଲା । ଜୟପୁର ପ୍ରାର୍ଥୀ ଘୋଷଣା ହୋଇନଥିବାରୁ ରବି ନନ୍ଦ ଓ ଇଶ୍ୱର ପାଣିଗ୍ରାହୀ ଭୁବନେଶ୍ୱରରେ ଡେରା ପକାଇଛନ୍ତି ।

ବିଜେଡି ବର୍ତ୍ତମାନ ସୁଦ୍ଧା ୩୦ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଏଥିମଧ୍ୟରେ ପ୍ରଥମ ପର୍ଯ୍ୟାୟ ମେ ୧୩ରେ ହେବାକୁ ଥିବା ନିର୍ବାଚନରେ ଜୟପୁର ଓ ଚିତ୍ରକୋଣ୍ଡା ଆସନ ରହିଛି । ତେବେ ଜୟପୁରରେ ତାରାଙ୍କୁ ଟକ୍କର ଦେବାକୁ ବିଜେଡି କାହାକୁ ମଇଦାନକୁ ଓହ୍ଲାଇବ ତାହା ଆଗାମୀ ଦିନେ-ଦୁଇଦିନ ଭିତରେ ସ୍ପଷ୍ଟ ହେବା ଆଶା କରାଯାଉଛି ।